ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲ ଘୋଷଣା ଦାବୀରେ ପଦ୍ମପୁର ଉପଖଣ୍ଡ ବନ୍ଦ । ଚିର ମରୁଡି ପ୍ରପୀଡିତ ତଥା ଅବହେଳିତ ପଦ୍ମପୁର ଉପଖଣ୍ଡ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବା ପାଇଁ ୧୯୯୨-୧୯୯୩ ମସିହାରେ ୧୩ରୁ ୩୦ ଜିଲ୍ଲା ଗଠନ ହେବା ସମୟରୁ ଦାବୀ ହୋଇ ଆସୁଛି । ହେଲେ ତାହା ଆଜି ଯାଏଁ ପୁରଣ ହୋଇପାରି ନାହିଁ । ଭୌଗୋଳିକ ଦୃଷ୍ଟିକୋଣ ହେଉ ଅବା ଲୋକ ସଂଖ୍ୟା ହେଉ ସବୁ ଦୃଷ୍ଠିରୁ ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବା ଯୋଗ୍ୟ ବୋଲି ଅଂଚଳବାସୀ ଦାବୀ କରି ଆସୁଛନ୍ତି । ୨୦୧୮ ମସିହାରେ ପଦ୍ମପୁରବାସୀ ଜିଲ୍ଲା ମାନ୍ୟତା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘଦିନ ଧାରଣା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓ ପଦ୍ମପର ଜିଲ୍ଲା ମାନ୍ୟତା ପାଇବ ବୋଲି କହିଥିଲେ । ତତ୍କାଳୀନ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ୨୦୨୩ ମସିହାରେ ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ ହେବା ପରେ ଧନ୍ୟବାଦ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ୨୦୨୩ ପରେ ୨୦୨୪ ମସିହା ଜାନୁଆରୀ ମାସ ଶେଷ ହେବାକୁ ଆସିଲାଣି କିନ୍ତୁ ପଦ୍ମପୁରକୁ ଜିଲ୍ଲା ଭାବରେ ଘୋଷଣା କରାଗଲା ନାହିଁ । ଏହାର ପ୍ରତିବାଦରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଜି ପଦ୍ମପୁର ଅଞ୍ଚଳକୁ ୧୨ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଛି । ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ବେସରକାରୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ ରହିଛି । ସମଗ୍ର ପଦ୍ମପୁର, ପାଇକମାଲ, ଗାଇସିଲେଟ, ଝାରବନ୍ଧ, ମାଣ୍ଡୋସିଲ, ବୁଡେନ, ମେଲଛାମୁଣ୍ତା, ଛିନ୍ଦେଇକେଲା, ବରତୁଣ୍ତା, ମହୁଲପାଲି, ମିଠାପାଲି ଆଦି ଅଞ୍ଚଳରେ ବନ୍ଦ ପ୍ରବାହ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଅଜିତ ଶତପଥୀ, ପ୍ରତାପ ମିଶ୍ର, ପ୍ରୀତେଶ ବହିଦାର, ମୁକ୍ତା ସାହୁ, ସରସ୍ୱତୀ ସାହୁ, ଚିନ୍ମୟ କୁମାର ପଣ୍ତା, ପ୍ରମୋଦ ମେହେର, ଅଶୋକ ମିଶ୍ର, ପ୍ରତାପ ନାଥ, ମୌସୁମୀ ସାହୁ, ଜ୍ୟୋସ୍ନା ରାଣୀ କର, କୁନାଲ ପାଣିଗ୍ରାହୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।
Prev Post
Next Post