ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ-ଜିଳ୍ଳାପାଳଙ୍କ କାର୍ଯ୍ୟାଳୟରେ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉପ-ଜିଳ୍ଳାପାଳ ଆଲୋକ କୁମାର ପଟେଲଙ୍କ ଆବାହକତ୍ୱରେ ସହକାରୀ ଜିଲ୍ଲାପାଳ ସନ୍ତୋଷ ପତି, ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ, ଅନୁବିଭାଗ ଅଧିକାରୀ ସତ୍ୟବ୍ରତ ସାହୁ ଓ ଅନ୍ୟ କର୍ମଚାରୀମାନେ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ରଙ୍କୁ ଉପ-ଜିଳ୍ଳାପାଳ ଶ୍ରୀ ପଟେଲ ସ୍ମୃତିଚିହ୍ନ ସ୍ୱରୂପ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଆଧାରିତ ଏକ ପୁସ୍ତକ ପ୍ରଦାନ କରିଥିଲେ । ବିନାୟକ ମିଶ୍ର ଜଣେ କର୍ମଠ ଅଧିକାରୀ ରୂପେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟକୁ ପ୍ରକୃତ ଅର୍ଥରେ ଜନାଭିମୁଖି କରିପାରିଥିଲେ ବୋଲି ଉପ-ଜିଳ୍ଳାପାଳ ଶ୍ରୀ ପଟେଲ ମତ ରଖିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରରେ ଅନ୍ୟ ସମସ୍ତ ଅଧିକାରୀ ମଧ୍ୟ ବିନାୟକ ମିଶ୍ରଙ୍କୁ ପରବର୍ତ୍ତୀ ଗୁରୁ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମିଶ୍ର ଜୁନ ୨୨, ୨୦୨୩ରୁ ପଦ୍ମପୁରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ । ବିଭାଗୀୟ ବଦଳି ନିର୍ଦ୍ଦେଶ ଆସିବା ପରେ ଶ୍ରୀ ମିଶ୍ର ବରଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ମହେନ୍ଦ୍ର ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ବିନାୟକ ମିଶ୍ରଙ୍କୁ ପଦ୍ମପୁରରୁ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରକୁ ବଦଳି ହୋଇଥିବା ଜଣାପଡିଛି । ସେଇଠୁ ଶ୍ରୀ ମିଶ୍ରଙ୍କୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ୱତନ୍ତ୍ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୂପେ ଦାୟିତ୍ୱ ଦିଆଯିବ ବୋଲି ଜଣାପଡିଛି । ଏହି ଅବସରରେ ଶ୍ରୀ ମିଶ୍ର ପଦ୍ମପୁର ନିକଟରେ ସେ ଚିରଋଣୀ ରହିବେ ଓ ପରବର୍ତ୍ତୀ ସମୟରେ ଜୀବନରେ ଯେବେ ମଧ୍ୟ ସୁଯୋଗ ମିଳେ ପଦ୍ମପୁରର ସେବା ପାଇଁ ନିଜକୁ ସମର୍ପି ଦେବେ ବୋଲି ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.