୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

  • ରାସାୟନିକ ସାର ବିନା କୃଷିକର୍ମ ଉପରେ ଗୁରୁତ୍ତ୍ୱାରୋପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗୋଳନ୍ଥରାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ରେ ଅନୁଷ୍ଠିତ ଏହି ଉପଦେଷ୍ଟା ମଣ୍ଡଳୀ ବୈଠକରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଉପ-ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ମହାନ୍ତି ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ବିନା ରାସାୟନିକ ସାର ଦ୍ୱାରା କିଭଳି କୃଷକଗଣ ପନିପରିବା ଚାଷ କରି ଅଧିକ ଲାଭବାନ ହେବେ ସେ ଦିଗରେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଡିନ୍ ପ୍ରଫେସର ପ୍ରସନଜିତ୍ ମିଶ୍ର ନିଜ ବକ୍ତବ୍ୟରେ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସ୍ୱାଗତ ଜଣାଇ ଚାଷୀର ମୁଖ୍ୟ ଅସୁବିଧାକୁ ପ୍ରାଥମିକତା ଦେଇ କିଭଳି କମ୍ ସମୟ ମଧ୍ୟରେ ଜ୍ଞାନ କୌଶଳ ଆହରଣ କରି ନିଜ ଚାଷ କାର୍ଯ୍ୟରେ ଦେଖାଯାଉଥିବା ସମସ୍ୟାର ସମାଧାନ କରି କୃଷି କାର୍ଯ୍ୟ କରି ପାରିଲେ ସେମାନେ ଅନେକ ପରିମାଣରେ ସ୍ୱାବଲମ୍ବୀ ହୋଇ ପାରିବା ସହ ସେମାନଙ୍କର ଅର୍ଥନୈତିକ ବିକାଶ ଘଟିବ ସେଥି ନିମନ୍ତେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକର ପ୍ରାରମ୍ଭରେ ବରିଷ୍ଠ ବୈଜ୍ଞାନିକ ଓ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସୁଜିତ୍ କୁମାର ନାଥ ୨୦୨୨-୨୩ ରବି ଋତୁ ଓ ୨୦୨୩ ଖରିଫ୍ ଋତୁରେ କେନ୍ଦ୍ର ତରଫରୁ ସଫଳତା ପୂର୍ବକ ସମ୍ପାଦିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆଗାମୀ ୨୦୨୩-୨୪ ବର୍ଷ ପାଇଁ ସ୍ଥିରୀକୃତ କାର୍ଯ୍ୟକ୍ରମମାନ ଉପସ୍ଥିତ ସଦସ୍ୟମାନଙ୍କ ଗହଣରେ ବିସ୍ତୃତ ଭାବରେ ଉପସ୍ଥାପନ କରିବା ସହିତ ସମସ୍ତ ବିଭାଗର ସହଯୋଗରେ କାର୍ଯ୍ୟକ୍ରମ କରାଗଲେ ଯାଇ ଚାଷ ଓ ଚାଷୀର ଉନ୍ନତି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ପୂର୍ବ ବର୍ଷ ଉପଦେଷ୍ଟା ମଣ୍ଡଳୀ ବୈଠକର ସୁପାରିଶ ଉପରେ ଆଧାରିତ ବିଭିନ୍ନ ପଦକ୍ଷେପ କେନ୍ଦ୍ର ପକ୍ଷରୁ ସୁଚାରୁ ରୂପେ ସଂପାଦିତ ହୋଇଛି ବୋଲି କହିଥିଲେ । ପରେ ପରେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଗଞ୍ଜାମ ଜିଲ୍ଲାର ଚାଷ ଓ ଚାଷୀମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଜଳବାୟୁ ଉପଯୋଗୀ ଚାଷର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓୟୁଏଟିର ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ମହାନ୍ତି କେନ୍ଦ୍ରର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନ ନିମନ୍ତେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର କିଭଳି ସଫଳ ରୂପାୟନ ହୋଇପାରିବ ଓ ଚାଷୀଗଣ ଚାଷ କାର୍ଯ୍ୟରେ ସଫଳ ପୂର୍ବକ ଲାଭବାନ ହୋଇ ପାରିବେ ସେଥି ନିମନ୍ତେ ନିଜର ବକ୍ତବ୍ୟ ରଖିଥିଲେ । ଡାଲି ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ପବିତ୍ର ମୋହନ ମହାପାତ୍ର ବିଭିନ୍ନ ନୂଆ କିସମର ଡାଲି ଓ ଅଣ-ଡାଲି କ୍ଷୁଦ୍ର ଶସ୍ୟ ଯଥା- ମାଣ୍ଡିଆ ଓ ସୁଆଁ ପ୍ରଜାତିକୁ ସ୍ଥଳପୋଯୋଗୀ ଚାଷୀ କ୍ଷେତରେ ପରୀକ୍ଷା ଓ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କେନ୍ଦ୍ର ସହିତ ସମସ୍ତ ବିଭାଗ ଏକତ୍ର ହୋଇ ସମନ୍ୱୟ ଭାବରେ କାର୍ଯ୍ୟ କରିବାକୁ ଅବଗତ କରାଇ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ପକ୍ଷରୁ କୃଷିଭିତ୍ତିକ ସମାଚାର ପତ୍ରିକା ଭୈରବୀର ୧୧ତମ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ନାବାର୍ଡର ଜିଲ୍ଲା ପ୍ରବନ୍ଧକ ଡ. ସଂଜୀବ ମିଶ୍ର କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସୁତନୁ କୁମାର ଶତପଥୀଙ୍କ ସମେତ, କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ମୁଖ୍ୟ ବୈଜ୍ଞାନିକ ଡ. ସଂଗ୍ରାମ ପରମଗୁରୁ, କେନ୍ଦ୍ରୀୟ ଉଦ୍ୟାନ ସଂସ୍ଥା ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ରବୀନ୍ଦ୍ର ଆଚାର୍ଯ୍ୟ ଓ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କ ସହିତ କୃଷି ପ୍ରଯୁ୍କ୍ତି ବିଦ୍ୟା ପ୍ରୟୋଗ ଅନୁସଂଧାନ ପ୍ରତିଷ୍ଠାନ, କୋଲକାତାର ବରିଷ୍ଠ ବୈଜ୍ଞାନିକ ଡ. ମଣ୍ଡଳ ଅନ୍-ଲାଇନ୍ ୱେବଲିଙ୍କ ମାଧ୍ୟମରେ ଯୋଡି ହୋଇଥିଲେ । ଇଫକୋର କ୍ଷେତ୍ରୀୟ ପ୍ରବନ୍ଧକ, ଗଞ୍ଜାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ କୃଷି ବିଜ୍ଞାନ କେନ୍ଦ୍ରର ପ୍ରଗତିଶୀଳ କୃଷକ ଓ କୃଷିଜୀବୀ ମହିଳା ଯୋଗଦାନ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟାମାନେ କେନ୍ଦ୍ର ପରିସରରେ ବିଭିନ୍ନ ପ୍ରଦର୍ଶନ କ୍ଷେତ୍ରମାନ ପରିଦର୍ଶନ କରିଥିଲେ । କେନ୍ଦ୍ରର ବୈଜ୍ଞାନିକ ସସ୍ମିତା ପ୍ରିୟଦର୍ଶନୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅତିଥି ପରିଚୟ ଦେଇଥିବା ବେଳେ ଡ. ସିଦ୍ଧାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.