ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ସହାୟତା ପାଇଲେ ବୃଦ୍ଧା ମାଳତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସମିତି ସଭ୍ୟ ନନ୍ଦ କିଶୋର ଭୋଇଙ୍କ ଉଦ୍ୟମ ତଥା ସ୍ଥାନୀୟ ପ୍ରଶାସନର ସହଯୋଗରେ ଲୋଇସିଂହା ନୂଆପଡା ବାସିନ୍ଦା ମାଳତୀ ମାଝୀ ମୁଣ୍ଡ ଗୁଞ୍ଜିବାକୁ ରାହା ପାଇଛନ୍ତି । ନିଜ ଅବିବାହିତା ଝିଅଙ୍କ ସହିତ ଝାଟିମାଟି କୁଡ଼ିଆ ଘରେ ରହନ୍ତି ନୂଆପଡ଼ାର ମାଳତୀ ମାଝୀ । ସ୍ୱାମୀ କୁମର ମାଝୀ ଦୀର୍ଘ ୧୩ ବର୍ଷ ତଳୁ ସ୍ଵର୍ଗାରୋହଣ କରି ସାରିଥିବା ବେଳେ ପୁଅ ଯାଇଛି ଦାଦନ ଖଟି ସୁଦୂର ତାମିଲନାଡୁକୁ । ଦୁଃଖେ କଷ୍ଟେ ମା ଝିଅ ଚଳି ଆସୁଥିଲେ । ତେବେ ଗତ ଲଘୁଚାପ ଜନିତ ବର୍ଷାରେ ମାଳତୀଙ୍କ ମାଟି କୁଡ଼ିଆ ଘର କାନ୍ଥ ଭାଙ୍ଗି ଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ମା’ ଝିଅ । ଆଉ ଆଶ୍ରୟ ନେଇଥିଲେ ନିକଟସ୍ଥ ମନ୍ଦିର ବାରଣ୍ଡାରେ । ଖବର ପାଇ ସ୍ଥାନୀୟ ସମିତି ସଭ୍ୟ ମାଲତୀଙ୍କ ନିକଟରେ ପହଞ୍ଚି ଖାଇବା ପିଇବା ବ୍ୟବସ୍ଥା କରିବା ସହିତ ତହସିଲଦାରଙ୍କ ସହିତ ଯୋଗାଯୋଗ କରି ମାଳତୀଙ୍କ ପାଇଁ ଘରଭଂଘା ସହାୟତା ରାଶି ୫ ହଜାର ଟଙ୍କା ଓ ପଲିଥିନ ଖଣ୍ଡିଏ ଯୋଗାଡ଼ କରି ଦେଇଥିଲେ । ଏହାପରେ ସମିତି ସଭ୍ୟ ଶ୍ରୀ ଭୋଇଙ୍କ ଉଦ୍ୟମ କ୍ରମେ କିଛି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସଂଗୃହୀତ ୧୮ ହଜାର ଟଙ୍କା ମାଳତୀଙ୍କୁ ଦିଆଯାଇଥିଲା । ସେହି ଟଙ୍କାରେ ମାଳତୀ ନିଜ ମାଟି ଖପର ଘର ମରାମତି କରିଥିଲେ । ମଙ୍ଗଳବାର ସମିତି ସଭ୍ୟ ଶ୍ରୀ ଭୋଇ ପୁଣି ମାଳତୀଙ୍କୁ ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ତେବେ ମାଲତୀଙ୍କ ଜରୁରୀକାଳୀନ କ୍ରମେ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.