ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟଠାରେ ସାମ୍ବାଦିକମାନଙ୍କୁ ନେଇ ଏକ ଆଲୋଚନାଚକ୍ର “ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର” ଅନୁଷ୍ଠିତ ହୋଇଯାଇଛି । ବିକେ ଅଞ୍ଜଳୀଙ୍କ ଆବାହକତ୍ଵ ଓ ବିକେ ଅନିତାଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଆର୍‌ଏସ୍‌ପି ଲୋକସମ୍ପର୍କ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଓ ସମ୍ମାନିତ ଅତିଥି ଭାବେ ବିକେ ବିମଳା, ଏନ୍ଆଇଟିର ପ୍ରଫେସର ବିକେ ଦିଲ୍ଲିପ ପ୍ରଧାନ, ଏଜିଏମୟ ବିକେ ଅରୁଣ ସାହୁ ଓ ମୁଖ୍ୟ ଆଲୋଚକ ଭାବେ ରାଷ୍ଟ୍ରୀୟ ପ୍ରବକ୍ତା ବିକେ ସୁଶାନ୍ତ ଭାଇ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗଣମାଧ୍ୟମ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ବେଳେ ଗଣମାଧ୍ୟମ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧ୍ୟାତ୍ମିକତା ଓ ଶାନ୍ତିର ଆବଶ୍ୟକତା ଜରୁରୀ ହୋଇପଡିଛି । ଏଣୁ ଏହି ବୌଦ୍ଧିକ ଆଧ୍ୟାତ୍ମିକ ଆଲୋଚନା ଚକ୍ରର ଉପାଦେୟ ଅନେକ ରହିଛି । ମୁଖ୍ୟ ଆଲୋଚକ ବିକେ ସୁଶାନ୍ତ କହିଲେ ଯେ ସକାରାତ୍ମକ ଚିନ୍ତନରେ ଅନ୍ତଶକ୍ତି ବୃଦ୍ଧି ହୁଏ । ଏହା ସହ ଆତ୍ମଚିନ୍ତନ, ପରମାତ୍ମା ଚିନ୍ତନ, ପବିତ୍ର ଚିନ୍ତନ, ଶାନ୍ତି, ସାମ୍ବାଦିକଙ୍କ ମୂଲ୍ୟବୋଧ, ଆଭ୍ୟନ୍ତରୀଣ ଶକ୍ତି, ସତ୍ୟତା ଓ ସଭ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ । ଆଭ୍ୟନ୍ତରୀଣ ଶକ୍ତିର ବିକାଶରେ ଖୁସି ସହ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଥିଲେ । ବିକେ ଅରୁଣ ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଓ ବିକେ ଅଞ୍ଜଳୀ ଆଲୋଚନା ଚକ୍ରର ଉପାଦେୟତା ଓ ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର ପ୍ରଧାନ ମିଡିଆର ଗୁରୁଦାୟିତ୍ଵ ଓ ଆଧ୍ୟାତ୍ମିକ ଲେଖା ଉପରେ ଗୁରୁତ୍ୱାରୋପ କରିଥିଲେ । ବିକେ ଅଞ୍ଜଳୀ ଶାନ୍ତିର ଅନୁଭବ ନୀରବ ରହି ଧ୍ୟାନସ୍ଥ ହୋଇ କିପରି ଉପଲବ୍ଧି ହୁଏ ସେ ସମ୍ପର୍କରେ କହିଥିଲେ । ଏହି ଅବସରରେ ଦିବଙ୍ଗତ ଆତ୍ମା ଓ ସାଧାରଣ ଜନତାଙ୍କ ସୁସ୍ଥତା କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିକେ ସର୍ବଶ୍ରୀ ବାଣେଶ୍ୱର, ରଶ୍ମି, ସୀମା, ଚିତ୍ତରଞ୍ଜନ, ଅମୂଲ୍ୟ, ବିଜୟ, ଗୌରୀ, ଭାରତୀ, ପିଙ୍କି, କମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.