ଖପ୍ରାଖୋଲ ପୋଲିସ ଦ୍ଵାରା ହରିଶଙ୍କର ଛକ ନିକଟରୁ ୭ ଶିଶୁ ସମେତ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦୁଇ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଆଜି ପୁଣି ୭ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ସକାଳ ଦଶଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ହରିଶଙ୍କର ଛକ ନିକଟରୁ ସାତ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକ ଉଦ୍ଧାର କରି ଜଣେ ସର୍ଦ୍ଦାର ଓ ଜଣେ ଗାଡି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଦାଦନ ସର୍ଦ୍ଦାର ଦଶରଥ ସମରଥ ଫେରାର ଥିବା ଜଣାପଡିଛି । ଦୁଇଜଣ ଅଭିଯୁକ୍ତ ତୁରେକେଲା ଥାନା ଅନ୍ତର୍ଗତ ଗଭରା ଗ୍ରାମର ରାମେଶ୍ୱର ସମରଥ(୨୯) ଓ କ୍ଷମାପ୍ରସାଦ ବାଗ(୨୭) ବୋଲି ପୋଲିସ୍ ସୂଚନା ଦେଇଛି । ହରିଶଙ୍କର ଛକ ନିକଟରେ ଏକ ବୋଲେରୋ ଗାଡି ନଂ ଓଆର୍‌୧୮ଏ-୨୪୪୪ଗାଡିରେ କିଛି ଶ୍ରମିକ ବେଆଇନ ଭାବରେ ଚାଲାଣ ହେଉଥିବା ଜାଣି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ସମସ୍ତ ଶ୍ରମିକ ଲରମ୍ଭା ଥାନା ଅନ୍ତର୍ଗତ ବଡ ଉଡେନ ଗାଁର ବୋଲି ପୋଲିସ ସୂଚନା ଦେଇଛି । ଉଦ୍ଧାର ଶ୍ରମିକମାନଙ୍କୁ ଜଣପିଛା ଚାଳିଶ ହଜାର ଟଙ୍କା ଏଡ୍‌ଭାନ୍ସ ଦେଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟର ହାଇଦ୍ରାବାଦ ସହରକୁ ଇଟାଭାଟିରେ କାମ କାରିବାକୁ ଚାଲାଣ କରୁଥିବା ଶ୍ରମିକମାନେ କହିଛନ୍ତି । ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଘରେ ପୋଲିସ ଛାଡ଼ି ଦେଇଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନମ୍ବର ୨୬୯/୨୦୨୩ରେ ଭାରତୀୟ ପେନାଲକୋର୍ଡର ଧାରା ୩୭୦/୩୭୪/୪୧୭ /୧୨୦ବି /୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଏବଂ ୧୪ସିଏଲପି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି କେସ୍‌ ତଦନ୍ତକାରୀ ଅଧିକାରୀ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ଏବର୍ଷ ଖପ୍ରାଖୋଲ ଥାନାରେ ୧୭ଟି ଦାଦନ ଶ୍ରମିକ ଉଦ୍ଧାର କେସ୍‌ ପଞ୍ଜିକୃତ ହୋଇଥିବା ବେଳେ ୧୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ତନ୍ମଧ୍ୟରୁ ୩୩ ଜଣ ଶିଶୁ ହୋଇଥିବା ବେଳେ ୮୫ ଜଣ ଶ୍ରମିକ ହୋଇଥିବା ଜଣାପଡିଛି । ଏନେଇ ୨୪ ଜଣ ଦାଦନ ସର୍ଦ୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଖପ୍ରାଖୋଲ ପୋଲିସର ଏହି ନିସ୍ଵାର୍ଥ ସହ କାର୍ଯ୍ୟ କରିବା ଦେଖି ଜନସାଧାରଣରେ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ କିଛି ଖଳ ପ୍ରକୃତିର ଲୋକ ପୋଲିସର କାମରେ ଅସନ୍ତୁଷ୍ଟ ହୋଇ ବଦନାମ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.