ଆଇଏଏସ୍‌ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ସଂଖ୍ୟାରେ ହ୍ରାସ ଘଟିଛି : ହେମନ୍ତ ପଣ୍ଡା

  • ସମଗ୍ର ଦେଶରେ କରୋନା କାଳରେ ଜଣେବିି ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ନାହାନ୍ତି
  • ଓଡିଶା କ୍ୟାଡରର ମାତ୍ର ୩ ଅଧିକାରୀ ୨୦ ବର୍ଷ ମଧ୍ୟରେ ନେଇଛନ୍ତି ସ୍ୱେଚ୍ଛାକୃତ ଅବସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ଗତ ୨୦ ବର୍ଷ ମଧ୍ୟରେ ଆଇଏଏସ୍‌ ଅଧିକାରୀମାନଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ ସଂଖ୍ୟାରେ ଆଶାତୀତ ଭାବେ ହ୍ରାସ ଘଟିଛି ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସର୍ବଭାରତୀୟ ସେବା ଅଧିନିୟମ ୧୯୫୮ର ୧୬(୨କ) ଧାରା ବଳରେ ସ୍ୱଇଚ୍ଛାରେ ସେବା ନିବୃତ୍ତି ପାଇଁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଭାରତ ସରକାର ସ୍ୱେଚ୍ଛାକୃତ ଅବସର ପ୍ରଦାନ କରିଥାନ୍ତି । ଏହି ଅଧିନିୟମ ଦ୍ୱାରା ସମଗ୍ର ଦେଶର ସମୂଦାୟ ୧୩୫ ଜଣ ଆଇଏଏସ୍‌ ଅଧିକାରୀ ଗତ ୨୦ ବର୍ଷ ମଧ୍ୟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଭାରତ ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଚିଠି ନଂ ୨୯୦ ୧୮/୦୫/୨୦୨୩ ଏଆଇଏସ୍‌ । (ପେନସନ) ତା-୨୩/୧୧/୨୦୨୩ ଯୋଗେ ସୂଚନା କର୍ମୀ ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି । ସବୁଠାରୁ ଭଲ ଖବର ଏହା ଯେ, କରୋନା କାଳରେ ଦେଶର ଏହି ଦାୟିତ୍ୱବାନ ଅଧିକାରୀମାନଙ୍କ ମଧ୍ୟରୁ ଜଣେ ହେଲେ ବି ସ୍ୱେଚ୍ଛାକୃତ ଅବସର ନେଇ ନାହାନ୍ତି । କରୋନା ପରବର୍ତ୍ତୀ ବର୍ଷମାନଙ୍କରେ ମଧ୍ୟ ଏହି ସଂଖ୍ୟା ଅପେକ୍ଷାକୃତ ଭାବେ କମ ରହିଛି । ଦେଶରେ ଗତ ୨୦ ବର୍ଷ ମଧ୍ୟରେ ୨୦୦୩ ମସିହାରେ ସର୍ବାଧିକ ୨୬ ଜଣ ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଜଣାପଡିଛି । ତଥ୍ୟ ଅନୁସାରେ ୨୦୦୪ ମସିହାରେ ୧୩ ଜଣ, ୨୦୦୫ରେ ୧୨ ଜଣ, ୨୦୦୬ରେ ୨୧ ଜଣ, ୨୦୦୭ରେ ୧୯ ଜଣ, ୨୦୦୮ରେ ୯ ଜଣ, ୨୦୦୯ରେ ୩ ଜଣ, ୨୦୧୧ରେ ୨ ଜଣ, ୨୦୧୨ରେ ୧୨ ଜଣ, ୨୦୧୩ରେ ୪ ଜଣ, ୨୦୧୫ରେ ୨ ଜଣ, ୨୦୧୮ରେ ୨ ଜଣ, ୨୦୧୯ରେ ୧ ଜଣ, ୨୦୨୨ରେ ୪ ଜଣ ଓ ୨୦୨୩ରେ ୫ ଜଣ ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଜଣେ ହେଲେବି ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ନଥିବା ବର୍ଷ ଗୁଡିକ ହେଲା ୨୦୧୦, ୨୦୧୪, ୨୦୨୦ ଓ ୨୦୨୧ । ଏହି ତଥ୍ୟରୁ ସ୍ପଷ୍ଟ ଯେ, ସମଗ୍ର ଦେଶରେ କରୋନା ବର୍ଷ ୨୦୨୦ ଓ ୨୦୨୧ରେ ଜଣେ ବି ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ନାହାନ୍ତି । ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଦେବଦାସ ଛୋଟରାୟ, ଯତୀଶ ଚନ୍ଦ୍ର ମହାନ୍ତିଙ୍କ ପରି ଅନେକ ଓଡିଆ ଅଧିକାରୀ ରହିଥିଲେ ମଧ୍ୟ ସେମାନେ ସ୍ୱେଚ୍ଛାକୃତ ଅବସର ନେଲା ସମୟରେ ଓଡିଶା କ୍ୟାଡର ଅଧିକାରୀ ନଥିଲେ । ଦୀର୍ଘ ୨୦ ବର୍ଷ ମଧ୍ୟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡିଶା କ୍ୟାଡରର ମାତ୍ର ୩ ଜଣ ଅଧିକରୀଙ୍କ ନାମ ରହିଛି । ଶ୍ରୀମତୀ ଅପରାଜିତା ଷଡଙ୍ଗି ୨୦୧୮ ମସିହା ନଭେମ୍ବର ୧୬ ତରିଖ ଦିନ, ମନୀଷ କୁମାର ବର୍ମା ୨୦୨୨ ଡିସେମ୍ବର ୨୭ ତାରିଖ ଦିନ ଓ ଭି କାର୍ତ୍ତିକେୟନ ପାଣ୍ଡିଆନ ୨୦୨୩ ମସିହା ଅକ୍ଟୋବର ୨୦ ତାରିଖ ଦିନ ସ୍ୱେଚ୍ଛାକୃତ ଅବସର ନେଇଥିବା ତଥ୍ୟରୁ ଜଣା ପଡିଛି ବୋଲି ପଣ୍ଡା କହିବା ସଙ୍ଗେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିବା ୧୩୫ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ମଧ୍ୟରେ ଭିକେ ପାଣ୍ଡିଆନଙ୍କ ନାମ ସବାଶେଷରେ ରହିଛି । ତାଙ୍କ ପରେ ସଦ୍ୟତମ ସଥ୍ୟରେ ରହିଥିବା ତାରିଖ ୨୩/୧୧/୨୦୨୩ ପର୍ଯ୍ୟନ୍ତ ଆଉ କୌଣସି ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ନାହାନ୍ତି ବୋଲି ପଣ୍ଡା କହିବା ସହ ୨୦୨୩ ମସିହାରେ ସ୍ୱଇଚ୍ଛାରେ ସେବା ନିବୃତ୍ତି ନେଇଥିବା ସମୂଦାୟ ୫ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଭିକେ ପାଣ୍ଡିଆନ ଭାରତୀୟ ପ୍ରଶାସନିକ ସେବା କାର୍ଯ୍ୟକାଳ ଦୃଷ୍ଟିରୁ ବରିଷ୍ଠ ବୋଲି ମଧ୍ୟ ସୂଚନା କର୍ମୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.