ଟିଟିଲାଗଡ ଉପଖଣ୍ଡରେ ନବ ନିର୍ମିତ ଏକ ନୂତନ ସ୍ତ୍ରୀ ଓ ପ୍ରସୂତୀ ଏବଂ ଶିଶୁ ବିଭାଗ ନୂତନ ଚିକିତ୍ସାଳୟର ଶୁଭାରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡରେ ନବ ନିର୍ମିତ ଏକ ନୂତନ ସ୍ତ୍ରୀ ଓ ପ୍ରସୂତୀ ଏବଂ ଶିଶୁ ବିଭାଗ ନୂତନ ଚିକିତ୍ସାଳୟର ଶୁଭାରମ୍ଭକୁ ରାଜ୍ୟ ସରକାରଙ୍କ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. କୁବେର ଚନ୍ଦ୍ର ମହନ୍ତି, ଉପଜିଲ୍ଲାପାଳ ଟିଟିଲାଗଡ ଦୟାମୟ ପାଢୀ, ଟିଟିଲାଗଡ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାଃ ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ଟିଟିଲାଗଡ ବ୍ଲକ ଅଧ୍ୟକ୍ଷ୍ୟା ସଞ୍ଜୁକ୍ତା ନାୟକ, ଉପାଧ୍ୟକ୍ଷ୍ୟା ପୌରପରିଷଦ ଟିଟିଲାଗଡ ପୁଷ୍ପା ମଞ୍ଜରି ଜାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ଅତିଥିମାନେ କହିଛନ୍ତି ଯେ, ଏହି ଆଧୁନିକ ଚିକିତ୍ସାଳୟ ଟିଟିଲାଗଡ ଉପଖଣ୍ଡରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଗାମୀ ଦିନରେ ଟିଟିଲାଗଡ ଉପଖଣ୍ଡର ଯେଉଁ ରୋଗୀ ଡାଇଲେସିଶ୍‌ କିମ୍ବା ଅନନ୍ୟ ପରୀକ୍ଷଣ, ଉନ୍ନତମାନର ଚିକିତ୍ସା ନିମନ୍ତେ ବାହାରକୁ ଯିବା ପାଇଁ ପଡୁଥିଲା ଆଉ ଯିବାକୁ ପଡିବ ନାହିିଁ । ନିଜ ଉପଖଣ୍ଡର ନୂତନ ଚିକିତ୍ସାଳୟରେ ହିଁ ସେମାନେ ଉତ୍ତମ ସ୍ଵାସ୍ଥ୍ୟସେବା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ତାହା ବି ବିନା ମୂଲ୍ୟରେ ଭଲ ଚିକିତ୍ସା ପାଇପାରୁଛନ୍ତି । ଏହା ଦ୍ଵାରା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇପାରିଛି । ‘ପ୍ରତି ଜୀବନ ମୂଲ୍ୟବାନ’ ଏହି ଆଦର୍ଶରେ ଆପଣମାନେ ନିଷ୍ଠାର ସହ ରୋଗୀର ସେବା କରନ୍ତୁ ଏବଂ ଚିକିତ୍ସାଳୟର ପାରିପାଶ୍ୱିକ ପରିବେଶକୁ ସ୍ଵଚ୍ଛ ଓ ନିର୍ମଳ ରଖିବା ପାଇଁ ରୋଗୀ ଓ କର୍ମଚାରୀବୃନ୍ଦଙ୍କୁ ଅନୁରୋଧ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ସ୍ଵଚ୍ଚତା ପାଇଁ ନିଜେ ହିଁ ସ୍ୱତଃ ପ୍ରବୃତ୍ତି ଭାବରେ ଆଗେଇ ଆସି ନେତୃତ୍ୱ ନେବା ଉଚିତ୍ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା, ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା ଅଙ୍କିତା କୁମ୍ଭାର, ତହସିଲଦାର, ଟିଟିଲାଗଡ ସୋରଜା ବେହେରା, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ଅର୍ଜୁନ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ନିର୍ବାହୀ ଅଧିକାରୀ, ରାସ୍ତା ଓ କୋଠାବାଡି ଦିଲେଶ୍ଵର ମାଝି, କମଳାକାନ୍ତ ସାହୁ, ଓଏସ୍‌ଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ବଲାଙ୍ଗୀର ତଥା ସମସ୍ତ ବିଭାଗୀୟ ପଦାଧୀକାରୀ, ଲୋକ ପ୍ରତିନିଧି, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର ମୁଖ୍ୟ, ସ୍ଵୟଂ ସହାୟକ ଦଳର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.