ଭୁବନେଶ୍ୱର/ନୂଆଦିଲ୍ଲୀ : ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ । ଏହା ସ୍ୱାସ୍ଥ୍ୟ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି । ତେଣୁ ଏହି ଗ୍ରାମୀଣ ଉତ୍ପାଦକୁ ରାଜ୍ୟ ସରକାର ବିଶେଷ ପ୍ରୋତ୍ସାହନ ଦେଉଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ ଆକର୍ଷଣ ପାଲଟିଛି ।
ଓଡ଼ିଶା ପାଭିଲିୟନରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ଏହି ଖଜୁରୀ ଗୁଡ଼ ପ୍ରଦର୍ଶନ ଓ ବିକ୍ରି କରାଯାଉଛି । ଦେଶ ବିଦେଶର ପର୍ଯ୍ୟଟକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି ।
ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକଙ୍କ ଚାଷଜମି ବା ପଡ଼ିଆ ଜମିରେ ତାଳ ଓ ଖଜୁରୀ ଗଛ ଦେଖିବାକୁ ମିଳିଥାଏ । ତେଣୁ ଏହାର ଉପଯୋଗକରି ସ୍ଥାନୀୟ ଲୋକଙ୍କୁ ଜୀବିକା ଦେବା ସହିତ ଗ୍ରାମୀଣ ଅର୍ଥନୀତିର ବିକାଶ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ ଥିବା ୨୩ଟି ପ୍ରାଥମିକ ତାଳଗୁଡ଼ ସମବାୟ ସମିତି ମାଧ୍ୟମରେ ଏହି ଗୁଡ଼ ଉତ୍ପାଦନ କରାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜୀବିକା ପାଉଛନ୍ତି ।
ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଢେଙ୍କାନାଳ, ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲା ରହିଛି । ତା’ ଭିତରୁ ଗଜପତି, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ଖଜୁରୀ ଗୁଡ଼ ପ୍ରସ୍ତୁତି ହେଉଛି ।
ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ଗଛରୁ ରସ ସଂଗ୍ରହ କରାଯାଇଥାଏ । ଏହାକୁ ଚୁଲିରେ ରନ୍ଧାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ । ପ୍ରାଥମିକ ସମବାୟ ସମିତିଗୁଡ଼ିକଠାରୁ ଗୁଡ଼ ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଜିଂ କରାଯାଇଥାଏ । ଗୁଡ଼ ସହିତ ଏଥିରୁ ମିଶ୍ରି ଓ ଚିନି ମଧ୍ୟ ତିଆରି କରାଯାଉଛି । ଏଥିରେ କୌଣସି ରାସାୟନିକ ସାମଗ୍ରୀ ମିଶ୍ରଣ କରାଯାଏ ନାହିଁ । ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଉଛି । ଏଥିରେ ବିଭିନ୍ନ ପ୍ରକାରର ମିନେରାଲ୍ସ ଓ ଭିଟାମିନ୍ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ରହିଛି । ତେଣୁ ଏହା ଶରୀରରେ ରକ୍ତ ସର୍କରା ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ ।
ଏହାଛଡ଼ା ତାଳ, ଖଜୁରୀ ଓ ନଡ଼ିଆ ଗଛର ପତ୍ରରୁ ବିଭିନ୍ନ ଘରୋଇ ଉପକରଣ ଆଦି ତିଆରି କରାଯାଉଛି । ଏସବୁର ବିକ୍ରି ପାଇଁ ସମବାୟ ସଂଘ ପକ୍ଷରୁ ବଜାର ସଂଯୋଗ ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ରାଜ୍ୟର ୫ ହଜାରରୁ ଅଧିକ ଚାଷୀ ଓ କାରିଗର ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି ।
ଭୁବନେଶ୍ୱରର ୟୁନିଟ-୨ ଓ ଗଣ୍ଡମୁଣ୍ଡା ଏବଂ କଟକର ଚାନ୍ଦିନୀଚୌକଠାରେ ଥିବା ଆଉଟଲେଟରେ ଏହା ବିକ୍ରି କରାଯାଉଛି । ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଏହି ଗୁଡ଼ ବିକ୍ରି କରାଯାଉଛି । ଏହାଛଡ଼ା ତାଳଗୁଡ଼ ସମବାୟ ସଂଘର ୱେବସାଇଟ www.ortss.org ମାଧ୍ୟମରେ ଅର୍ଡର କରି ଏହି ଗୁଡ଼ ପାଇପାରିବେ ।