- ଭାଗ ନେଲେ ୪୫୦ରୁ ଅଧିକ ବ୍ୟାଡମିଣ୍ଟନ ଖେଳାଳୀ
- ଜାତୀୟ ଖେଳ ମାନଚିତ୍ରରେ ପୃଥ୍ୱୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମ ସାମିଲ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍ ଜୁନିୟର ବ୍ୟାଡ୍ମିଣ୍ଟନ ଚମ୍ପିୟାନସିପ୍ ମଙ୍ଗଳବାର ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମଠାରେ ଉଦ୍ଘାଟିତ ହୋଇଛି । ଏହି ଜାତୀୟ ଚମ୍ପିୟାନସିପ୍ରେ ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୪୫୦ରୁ ଅଧିକ ବ୍ୟାଡମିଣ୍ଟନ ଖେଳାଳୀ, କୋଚ୍, ଅଫିସିଆଲ, ସହଯୋଗୀ ଅଂଶଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଆୟୋଜକ କମିଟି ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭିଡିଓ ବାର୍ତ୍ତା ଯୋଗେ ସମସ୍ତ ପ୍ରତିଯୋଗୀ, କୋଚ୍ ଓ ଅଫିସିଆଲଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳ କିପରି ସୁରୁଖୁରୁରେ ଆୟୋଜନ ହେବ ସେଥିପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ, ସ୍ୱନାମଧନ୍ୟ ଆଡଭୋକେଟ ଅମରେନ୍ଦ୍ର ମିଶ୍ର, ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ମୁରୁଲୀଧରନ୍, କେରଳ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ରାକେଶ ଶେଖର, ଫିଆନ୍ସି ଦଥାନ, ସୁଧୀର ଭାର୍ବେ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ତାଙ୍କ ଉଦ୍ଘାଟନୀ ବକ୍ତବ୍ୟରେ ଭାରତର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଖେଳାଳୀ, କୋଚ୍ ଓ ଅଫିସିଆଲ ମାନଙ୍କୁ ବଲାଙ୍ଗୀରକୁ ସ୍ୱାଗତ କରିବା ସହ ଏଠାରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବେ ବୋଲି କହିଥିଲେ । ଚମ୍ପିଆନ୍ସିପ୍ର ସଫଳ ଆୟୋଜନ ପାଇଁ ସେ ଭାରତୀୟ ବ୍ୟାଡମିଣ୍ଟନ ସଂଘ, ଓଡିଶା ବ୍ୟାଡମିଣ୍ଟନ ସଂଘ, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ରାଜ୍ୟ ସରକାର ଏବଂ ଓଡିଶା ଖଣି ନିଗମକୁ ଧନ୍ୟବାଦ ଜଣାଇଥିଲେ । ବଲାଙ୍ଗିର ଭଳି ଏକ ଛୋଟ ସହରରେ ଏକ ଜାତୀୟ ଚମ୍ପିଆନସିପ୍ ଆୟୋଜନ ହେବା ସାରା ଦେଶକୁ ଏକ ନୂଆ ବାର୍ତ୍ତା ଦେଇଛି ଏବଂ ଏହା ଭବିଷ୍ୟତରେ ଛୋଟ ସହର ଏବଂ ଗାଁରୁ ଆନ୍ତର୍ଜାତିକ ଖେଳାଳୀ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ମୁରଲୀଧରନ୍, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ, ଆଡଭୋକେଟ ଅମରେନ୍ଦ୍ର ମିଶ୍ର ପ୍ରମୁଖ କହିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ତଥା ଜାତୀୟ ସବ୍ଜୁନିଅର ଚମ୍ପିଆନ୍ସିପ୍ର ସଂଯୋଜକ ସୁରୁଲାଲ ମଟାରୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଯୋଜକ ଶ୍ରୀ ମଟାରୀ ଏବଂ ରାଜ୍ୟ ସଂଘ ସମ୍ପାଦକ ନିଲିନ୍ କୁମାର ବ୍ୟାଡମିଣ୍ଟନ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଆୟୋଜକ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସ୍ମାରକୀ ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉଦ୍ଘାଟନୀ ସଭା ପରେ ପ୍ରଥମ ପର୍ଯ୍ୟୟ ବାଳକ ବିଭାଗ ମ୍ୟାଚ୍ରେ କେରଳର ଶ୍ରୀଯୋଶ୍ରୀ ଈଶ୍ୱର, ଝାରଖଣ୍ଡର ଶ୍ରୀରାମ ରତନ, ପଞ୍ଜାବର ସାତ୍ତ୍ୱିକ ଭାଟିଆ, ହରିଆଣାର ଜତିନ୍ କୁମାର, ବାଳିକା ବିଭାଗରେ ମହାରାଷ୍ଟ୍ରର ସ୍ୱୟାରା ସେଲର, ହରିଆଣାର ଜିବିକା ସହଲଟ୍, ଉତ୍ତର ପ୍ରଦେଶର ଆଗ୍ରିମା ସିଂ, ଗୋଆର ଆର୍ଯ୍ୟା ମୈତ୍ରୀ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ଜାତୀୟ ଚମ୍ପିଆନ୍ସିପ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।