ଗୋଚର ଜମିରେ ପିଚୁ ପ୍ଲାଣ୍ଟକୁ ନେଇ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ତହସିଲ ସ୍ଥିତ ବେଲଗାଁ ରାଜସ୍ୱ ସର୍କଲ ସ୍ଥିତ ଭିକାବାହାଲି ମୌଜାଠାରେ ଥିବା ଗୋଚର ଜମିକୁ ଜନୈକ ବ୍ୟକ୍ତି ୧ ଏକକ ଜମି ବେଆଇନ ଭାବରେ ଜବର ଦଖଲ କରି ସିମେଣ୍ଟ କଂକ୍ରିଟର ନିର୍ମାଣ କାର୍ଯ୍ୟକାରି ପିଚୁ ପ୍ଲାଣ୍ଟ ଉଦ୍ୟମ କରୁଥିବା ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏ ଘଟଣା ସମ୍ପର୍କରେ ସ୍ଥାନୀୟ ସଇଁତଲା ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣ ଅସନ୍ତୋଷ ସୃଷ୍ଟି ହେଉଛି । ଏହି ଗୋଚର ଜମିରେ ପ୍ଲାଣ୍ଟ ନିର୍ମାଣ କରୁଥିବା ବେଳେ କୌଣସି କାଗଜ ପତ୍ର ନ କରି ଠିକାଦାର ଜଣକ ସରକାରଙ୍କ ନିୟମ ବେଖାତିର କରି ରାସ୍ତା ନିର୍ମାଣ କରି ପିଚୁ ପ୍ଲାଣ୍ଟ ତିଆରି କରିଥିବା ଅଭିଯୋଗ ହୋଇଛି । ଏହି ଗୋଚର ଜମି ଜବର ଦଖଲ ଫଳରେ ଗାଈଗୋରୁ ଚରିବାର ଦୂର କଥା ଲୋକେ ଶୌଚ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବାବଦରେ ସ୍ୱର ଉତ୍ତୋଳନ କରିବାକୁ ଗଲେ ସମ୍ପୃକ୍ତ ଜବର ଦଖଲକାରୀ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହେଉଛି । ଏପରିକି ଜବର ଦଖଲକାରୀ ବ୍ୟକ୍ତି ଜଣକ ଉକ୍ତ ଜମିରେ ପିଚୁ ପ୍ଲାଣ୍ଟ ସ୍ଥାପନ ନେଇ ଯୋଜନା କରୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁ ଥିବା ଦେଖାଦେଇଛି । ଏହି ସ୍ଥାନରେ ପିଚୁ ପ୍ଲାଣ୍ଟ ସ୍ଥାପନ କରାଗଲେ ସ୍ଥାନୀୟ ପଞ୍ଚାୟତ ଅଞ୍ଚଳରେ ପ୍ରଦୂଷିତ ହେବା ସହ ଲୋକେ ନାନା ପ୍ରକାଶ ରୋଗରେ ପୀଡିତ ହେବାର ସମ୍ଭାବନାକୁ ଏଡାଇ ଦିଆଯିବ ନାହିଁ ବୋଲି ବୃଦ୍ଧିଜୀବୀ ମହଲରେ ଆଲୋଚନା ଦେଖାଦେଇଛି । ଏନେଇ ତହସିଲଦାର ମାନସଫିଲ କେରକେଟାଙ୍କୁ ଯୋଗାଯୋଗ କରିବାରୁ ଜାତୀୟ ରାଜପଥ ରାସ୍ତା ନିର୍ମାଣ ହେଉଥିବା ଯୋଗୁଁ ଗୋଚର ଜମିରେ ପ୍ଲାଣ୍ଟ କରି ପାରିବ ବୋଲି ତହସିଲଦାର ଶ୍ରୀ କେରକେଟା ପ୍ରକାଶ କରିଥିଲେ । ଉକ୍ତ ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.