ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ୧୨୬ଟି ଅଭିଯୋଗ ପଞ୍ଜିକୃତ
  • ଡ଼ିଗ୍ରୀ ଓ ଯୁକ୍ତ ଦୁଇ ୫ଟି କଲେଜ କାମ ପରିଦର୍ଶନ
  • କୃଷି ଯନ୍ତ୍ରପାତି ମେଳା ସଚେତନତା ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟକ୍ତିଗତ ଭାବେ ୫୮, ସାମୂହିକ ଭାବେ ୨୦ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ୪୮ଟି ଅଭିଯୋଗ ସହ ମୋଟ ୧୨୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ବିଶେଷ କରି ବ୍ଲକର ବିଭିନ୍ନ ଗାଁର ଚାଷୀମାନଙ୍କ ଜମିରେ ସୌର ଚାଳିତ ଗଭୀର ନଳକୂପ ଖୋଲା ଯାଇଥିଲେ ମଧ୍ୟ ଦୀର୍ଘ ଦିନ ପରେ ବି ମୋଟର ପମ୍ପ ଲଗାଯାଇନଥିବାରୁ ଚାଷୀ ସୁଜିତ ପାଢ଼ୀଙ୍କ ସହ ଅନ୍ୟ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ବ୍ଲକର ଅଗ୍ରଣୀ ସଙ୍ଗଠନ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ମଞ୍ଚର ଏକ ସ୍ଥାୟୀ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ କରି ଯୋଗାଇ ଦେବା ପାଇଁ ମଞ୍ଚ ସଭାପତି ଫାଲଗୁନି ହାତୀ, ସମ୍ପାଦକ ଥବିର ସା ଓ କୋଷାଧ୍ୟକ୍ଷ ହରିଦାସ ତାଣ୍ଡି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ହଳଦୀ ୫ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ଗ୍ରାମର ଏକ ମହିଳା ଗୋଷ୍ଠୀଙ୍କୁ ପ୍ରଦାନ, ବାରବନ୍ଧ ଗ୍ରାମକୁ ମୋବାଇଲ ସେବା ଯୋଗାଇ ଦେବା ଆଦି ଅଭିଯୋଗ ହୋଇଥିଲା । ବିଶେଷ ଭାବରେ ଭତ୍ତା ଓ ଗ୍ରାମୀଣ ଆବାସ ଯୋଜନାରୁ ବଞ୍ଚିତମାନେ ଏଥିରେ ଅଭିଯୋଗ କରିଥିଲେ । ଏହି ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଖିଲାରୀ ଋଷିକେଶ ଦ୍ୟାନଦେଓ, ପିଡି ସୁଶାନ୍ତ ସିଂ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ତହସିଲଦାର ଆୟୁବ ମଣ୍ଡଳ, ବିଇଓ ଶାନ୍ତନୁ କୁମାର ପଢିହାରୀ, ସିଡ଼ିପିଓ ସୁପ୍ରଭା ମହାପାତ୍ର, ଏଇଇ ଅବିନାଶ ମୁଦିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିବା ବେଳେ ବ୍ଲକ ଏପିଓ ବସନ୍ତ ବଳିଆର ସିଂ ଧନ୍ୟବାଦ ଦେଇଥିଲେ । ଏହା ପୂର୍ବରୁ ଜିଲ୍ଲାପାଳ ଓ ଏସ୍‌ପି କୃଷି ବିଭାଗ ପକ୍ଷରୁ ଟିଟିଲାଗଡରେ ଆସନ୍ତା ୨୩ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସମ୍ପର୍କିତ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହ ସମସ୍ତ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ଯୁଗ୍ମ ଶୁଣାଣି ପରେ ଜିଲ୍ଲାପାଳ କିଛି ଦିନ ତଳେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦେଢ କୋଟି ଟଙ୍କାର ଅତି ନିମ୍ନମାନର ୫ଟି କାମ କରାଯାଉଥିବା ଅଭିଯୋଗ ହୋଇଥିବା ପଞ୍ଚାୟତି ଡିଗ୍ରୀ କଲେଜ ଓ ଯୁକ୍ତ ଦୁଇ କଲେଜକୁ ପରିଦର୍ଶନ କରିଥିଲେ । କଲେଜର ବିଭିନ୍ନ କାର୍ଯ୍ୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁରେ ତିଆରି ଚାଲିଥିବା ଶୌଚାଳୟଗୁଡ଼ିକ ଅତି ଛୋଟ ଆକାର ହୋଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ଏହାକୁ ବଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଏସ୍‌ପି, ପିଡି, ବିଡ଼ିଓ, ଏଇଇଙ୍କ ସହ ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, କଣ୍ଟାବାଞ୍ଜି ପିଡବ୍ଲୁଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରାଙ୍କ ସହ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.