ଡେଲାଙ୍ଗର ବର୍ଷିୟାନ୍ ମୂରବୀ ସତ୍ୟବାଦୀ ସ୍ଵାଇଁଙ୍କୁ ଗାନ୍ଧୀ ପୀଠରେ ଶ୍ରଦ୍ଧାଞ୍ଜଳି : ପରିବାରଙ୍କୁ ଭେଟିଲେ ସନ୍ଧ୍ୟାବତୀ, ନିଶିକାନ୍ତ ଓ ପ୍ରସନ୍ନ

ଡେଲାଙ୍ଗ, (ଦିଲ୍‌ଲ୍ଲୀପ କୁମାର ଧାୁଡିଆ) : ନିଜର ସତ୍ୟନିଷ୍ଠ କାର୍ଯ୍ୟ ଦକ୍ଷତା, ସମାଜସେବା ପାଇଁ ଡେଲାଙ୍ଗ ଅଞ୍ଚଳରେ ଘରେ ଘରେ ପରିଚିତ ବଳିଷ୍ଠ ପୁରୁଖା ରାଜନେତା ଡେଲାଙ୍ଗ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ, ପୁରୀ ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଭୂ ବନ୍ଧକ ବ୍ୟାଙ୍କର ପ୍ରାକ୍ତନ ନିର୍ଦ୍ଦେଶକ ସତ୍ୟବାଦୀ ସ୍ଵାଇଁଙ୍କର ଗତ ଦୀପାବଳି ରାତିରେ ହୃଦଘାତଜନିତ ପରଲୋକ ଗମନ ଖବରରେ ଐତିହ୍ୟ ବେରବୋଇ ଗାନ୍ଧୀପିଠ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଭାପତି କୁନ୍ତଳା ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଚନ୍ଦ୍ରଶେଖର ବିଶ୍ବାଳ, ଗାନ୍ଧୀତତ୍ୱ ପ୍ରଚାରକ ଅନାମ ମଲ୍ଲିକ, କସ୍ତୁରବା କେନ୍ଦ୍ରର ସଂଚାଳିକା କବିତାରାଣୀ ପରିଡ଼ା, ସମାଜସେବା ସନ୍ତୋଷ ବିଶ୍ବାଳ, ଦ୍ୱିତୀକୃଷ୍ଣ ରାଉତ, ଭାଗିରଥି ପରିଡ଼ା, କାଳନ୍ଦୀ ସ୍ବାଇଁ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସ୍ଵାଇଁଙ୍କ ତ୍ୟାଗ, କମିଟିର ଉପଦେଷ୍ଟା ଭାବେ ତାଙ୍କ କାର୍ଯ୍ୟ ଓ ବହୁମୁଖି ପ୍ରତିଭା ଏବଂ ଅଞ୍ଚଳବାସୀଙ୍କ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କବିତା ରାଣୀ ପରିଡ଼ାଙ୍କ ତତ୍ତ୍ଵାବଧାନରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଥାଉକି ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ଏକାଦିକ୍ରମେ ଦୁଇଥର ଡେଲାଙ୍ଗ ବ୍ଲକ୍‌ର ଅଧ୍ୟକ୍ଷ ରହି ଅଞ୍ଚଳର ଶିକ୍ଷା, ଡେଲାଙ୍ଗ ସ୍ଵାସ୍ଥ୍ୟ କେନ୍ଦ୍ରର ଉନ୍ନତି, ଡେନମାର୍କ ସରକାରଙ୍କ ଜରିଆରେ ପ୍ରତି ଗାଁକୁ ପାନୀୟ ଜଳର ସୁବ୍ୟବସ୍ଥା, ରାସ୍ତା ଘାଟର ଉନ୍ନତି, ଗ୍ରାମ୍ୟ ବିବାଦର ସରଳ ସମାଧାନ, ଶାନ୍ତି ଶୃଙ୍ଖଳା ରକ୍ଷା କରି ସ୍ଵର୍ଗତ ସ୍ଵାଇଁ ଅଞ୍ଚଳବାସୀଙ୍କର ଅତୀବ ଆଦରଣୀୟ ଥିଲେ । ସେ ସ୍ବର୍ଗତ ମାଗୁଣି ଚରଣ ସାହୁଙ୍କ ସହ ମିଶି ଡେଲାଙ୍ଗ କଲେଜ ପ୍ରତିଷ୍ଠାରେ ପୂର୍ଣ୍ଣ ସହଯୋଗ କରିଥିଲେ । ସେ ୧୯୮୧ରୁ ୧୯୯୨ ମଧ୍ୟରେ ସମବାୟ ବ୍ୟାଙ୍କ ଓ ଭୁବନ୍ଧକ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ କୃଷି କୃଷକମାନଙ୍କ ଉନ୍ନତି ଓ ବ୍ୟାଙ୍କରେ କେତେକଙ୍କୁ ନିଯୁକ୍ତି ଦେଇ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲେ । ଜେନାପୁର ଗ୍ରାମ ପଞ୍ଚାୟତରେ ୧୯୭୫ରୁ ୮୦ ପର୍ଯ୍ୟନ୍ତ ସରପଞ୍ଚ ରହି ଲୋକମାନଙ୍କ ସୁଖଦୁଃଖରେ ଭାଗୀଦାର ହୋଇଥିଲେ । ନିଜ ଗ୍ରାମରେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଜଣେ ସୁଦକ୍ଷ ରାଜନେତା, ସ୍ପଷ୍ଟବାଦୀ ସଚ୍ଚୋଟ ମଣିଷ ଭାବେ ଖାଲି ଡେ଼ଲାଙ୍ଗ ନୁହେଁ, ଅଧିକନ୍ତୁ ପିପିଲି, ପୁରୀ ଓ ସମଗ୍ର ରାଜ୍ୟରେ ସତୁରୀ ଅଶୀ ଦଶକରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ବେରବୋଇ ଗାନ୍ଧୀ କମିଟିର ଉପଦେଷ୍ଟା ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଓ ଗାଁ ସାମୁହିକ କାମରେ ଏବେ ବି ସାମିଲ୍ ହୋଇ ସମାଜରେ ଶାନ୍ତି ସ୍ଥାପନ ଓ ଜନମଙ୍ଗଳ କାର୍ଯ୍ୟ, ଚିରକାଳ ତାଙ୍କୁ ଅମର ରଖିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତାଙ୍କ ମୃତ୍ୟୁ ଖବର ପାଇ ପ୍ରଥମେ ଡେଲାଙ୍ଗ ବ୍ଲକ୍‌ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ପରେ ପରେ ସ୍ବର୍ଗ ଦ୍ବାରଠାରେ ବିଧାୟକ ଓ ଅନ୍ୟମାନେ ପହଞ୍ଚି ଥିଲେ । ନିଜ ଗାଁ ହାକପଡାରେ ସ୍ଵର୍ଗତ ସ୍ଵାଇଁଙ୍କ ପତ୍ନୀ ସତ୍ୟଭାମା, ପୁତ୍ର ତପନ, ଶାନ୍ତନୁ, ସୁସାନ୍ତ, ବଧୁ ରୋଜାଲିନ୍, ଅନସୂୟା, ସୁଜାତା କନ୍ୟା ଜ୍ୟୋତ୍ସ୍ନାରାଣୀ, ମାମିନା, ସୁପ୍ରଭା, ପୁତୁରା ହରିଆ, ଶ୍ରୀକାନ୍ତ ନାତି ନାତୁଣୀ ଜ୍ଞାତି କୁଟୁମ୍ବଙ୍କୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରର ପୂର୍ବତନ ଅଧ୍ୟକ୍ଷା ସମାଜସେବୀ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, କଂଗ୍ରେସ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର, ଡାକ୍ତର ଶ୍ୟାମସୁନ୍ଦର ବରାଳ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ, ଗଦାଧର ପ୍ରଧାନ, ଶିକ୍ଷକ ଅଭୟ ଚରଣ ସାହୁ, ଦିଲ୍ଲୀପ ନାୟକ, ଶିକ୍ଷାବିତ୍ ବିଭୁତି ଭୁଷଣ ହୋତା, ବଟକୃଷ୍ଣ ଦାଶ, ଅବସରପ୍ରାପ୍ତ ପ୍ରଧ୍ୟାପକ ନାରାୟଣ ପ୍ରଧାନ, ସମାଜସେବୀ ସୁସିଲ ପରଶମଣି, ପ୍ରକାଶ ମିଶ୍ର, ଅଜୟ ମାର୍ଥା, ଭାଗୀରଥି ପରିଡ଼ା, ପ୍ରହଲ୍ଲାଦ ପ୍ରଧାନ, ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ ପ୍ରମୁଖ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ଏକାଦଶାହରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେବାକୁ ପରିବାର ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.