ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ବିଶାଳ ଆଧ୍ୟାତ୍ମିକ ସମାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ରବିବାର ଏକ ବିଶାଳ ଆଧ୍ୟାତ୍ମିକ ସମାବେଶର ଆୟୋଜନ ହୋଇଯାଇଛି । ଏହି ସମାବେଶରେ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଗଞ୍ଜାମ ଗଜପତି ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ଥାନର ବ୍ରହ୍ମାକୁମାରୀ ଶାଖାର ମୁଖ୍ୟ ସଞ୍ଚାଳିକା, ସକ୍ରିୟ ସଦସ୍ୟ ମଣ୍ଡଳୀ ବ୍ରହ୍ମାକୁମାରୀ ଭାଇ ଓ ଭଉଣୀ ଯୋଗଦେଇ ଶିବ ପରମ୍ପରା ମହତ୍ତ୍ୱ ଓ ଶିବ ପରମାତ୍ମାଙ୍କ ସନ୍ଦେଶ କିପରି ସମଗ୍ର ଜନମାନସରେ ଶାନ୍ତିର ସନ୍ଦେଶ ପହଞ୍ଚିବ । ସମଗ୍ର ଜଗତରେ ଶାନ୍ତି ପ୍ରତିଷ୍ଠା ଲାଭ କରିବ ସେନେଇ ଦକ୍ଷିଣ ଓଡ଼ିଶା ନେତ୍ତୃତ୍ୱ ବହନ କରିଥିବା ରାଜଯୋଗିନୀ ମାଳା ଜୀ ଉପଦେଶାମୃତ ପ୍ରଦାନ କରିଥିଲେ । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ମାଉଣ୍ଟ-ଆବୁ, ରାଜସ୍ଥାନରୁ ମଧ୍ୟ ବହୁ ବରିଷ୍ଠ ନେତ୍ତୃବର୍ଗ ଯୋଗଦେଇ ଈଶ୍ୱରୀୟ ସନ୍ଦେଶ ପ୍ରଦାନ କରିଥିଲେ । ପୂର୍ବାହ୍ନ ୧୦ଘଣ୍ଟାରେ ଆରମ୍ଭ ହୋଇଥିବା ଶାନ୍ତି ସଦ୍ଭାବନା ମହୋତ୍ସବରେ ବ୍ରହ୍ମାକୁମାରୀ ରାଜ ଯୋଗୀନି ମାଳା ଦିଦି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଦିବା ୧୦ଘଣ୍ଟା-୩୦ ମିନଟ ସମୟରେ ଗଞ୍ଜାମ ଏସପି ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଜାପିତା ଶିବ ବାବାଙ୍କ ପତାକା ଉତ୍ତୋଳନ କରି ସାଧୁ-ପ୍ରଣାମ ଜଣାଇଥିଲେ । ପରେ ଗଞ୍ଜାମ ଏସ୍‌ପି ଶ୍ରୀ ମୀନା ନବନିର୍ମିତ ଦିବ୍ୟ ଭବନ କୋଠାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସ୍ୱତନ୍ତ୍ର ଧ୍ୟାନ କୋଠରୀରେ ଦୀର୍ଘ ୪୫ ମିନଟ କାଳ ଧରି ବ୍ରହ୍ମା କୁମାରୀ ରାଜଯୋଗିନୀ ମାଳା ଜୀ ଆଧ୍ୟାତ୍ମିକ ସନ୍ଦେଶର ବାର୍ତ୍ତା ଗଞ୍ଜାମ ଏସ୍‌ପିଙ୍କୁ ଶୁଣାଇ ଥିଲେ ଓ ଆଶ୍ରିବଚନ ଦେଇଥିଲେ । ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଦିଆଯାଉଥିବା ଶିବ-ସନ୍ଦେଶ ଜନ ମାନସକୁ ଅନେକ ଦିଗଦର୍ଶନ ଦେବ ଏବଂ ଜନତାଙ୍କ ହିତ ସାଧନରେ ସହାୟକ ହେବ ବୋଲି ଗଞ୍ଜାମ ଏସପି ଶ୍ରୀ ମୀନା ମତବ୍ୟକ୍ତ କରି ବ୍ରହ୍ମାକୁମାରୀ ଭାଇ ଓ ଭଉଣୀଙ୍କ ଭୂୟସୀ ପ୍ରଶଂସା କରିଥିଲେ । ମଧ୍ୟାହ୍ନରେ ବ୍ରହ୍ମା ଭୋଜନ ପରେ ଆଧ୍ୟାତ୍ମିକ ଶିବ ସନ୍ଦେଶର ବାର୍ତ୍ତା ନେଇ ଏକ ଶାନ୍ତି ସଦ୍ଭାବନା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶାନ୍ତି ସଦ୍ଭାବନା ରାଲିକୁ ବରିଷ୍ଠ ସମାଜସେବୀ ଭାଗିରଥୀ ବେହେରା ଶିବ ପରମାତ୍ମାଙ୍କ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏହି ଶାନ୍ତି ସଦ୍ଭାବନା ରାଲି ଶାନ୍ତି ଅନୁଭୂତି କେନ୍ଦ୍ର ଆଶ୍ରମରେ ପହଞ୍ଚିଥିଲା । ଆଶ୍ରମର ସଭାଗୃହରେ ଅନୁଷ୍ଠିତ ଉଦଯାପନୀ ସାମାରୋହରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଆଧ୍ୟାତ୍ମିକ ସମାବେଶକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଶେଷରେ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.