ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗିର ପୋଲିସର କଡ଼ା ଏକ୍ସନ୍‌,୧୪ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗିର ପୋଲିସର କଡ଼ା ଏକ୍ସନ୍‌ । ୧୪ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା । ସାରା ସହରରେ ଆଜି ଚାଂଚଲ୍ୟ ସୃଷ୍ଟି କରିଛି ଏହି ଘଟଣା । ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଉପରୁ ପର୍ଦ୍ଦା ହଟାଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ପୋଲିସ ପକ୍ଷରୁ ସଟ୍ଟା ଉପରେ ଆରମ୍ଭ ହୋଇଥିଲା ତଦନ୍ତ ଏବଂ ତଦନ୍ତରୁ ନଜର୍‌କୁ ଆସିଥିଲା ସଟ୍ଟା ସାମ୍ରାଜ୍ୟର କଳା ବାଦଲ୍‌ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ମହେନ୍ଦ୍ର ସୁଦାମ ମହାଜନ ନିଜ ଗ୍ରୁପ୍‌ ଧରି କୁବେର ମଟ୍‌କା ନାମରେ ଏକ ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ବେଟିଂ ପ୍ଳାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ । ପୁଣି ଲୋକଙ୍କୁ ଏହି ଖେଳକୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସହ ଦେଶର ବିଭିନ୍ନ ସ୍ଥାନରେ ଏଜେଣ୍ଟ ମାନଙ୍କୁ ଅବସ୍ଥାପିତ କରାଯାଇଥିଲା । ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ସଟ୍ଟା ଖେଳାଳୀଙ୍କୁ ୮୦ ଗୁଣ ଟଙ୍କା ମିଳିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଲୁଟାଯାଉଥିଲା । ବଲାଙ୍ଗିର ପୋଲିସ ଝପ୍‌ଟି ପଡ଼ିଲା ଏହି ସଟ୍ଟା ସାମ୍ରାଜ୍ୟ ଉପରେ ଏବଂ ଓଡ଼ିଶା ବାହାରର ୫ ଜଣଙ୍କ ସହ ୧୪ ଜଣଙ୍କୁ କାବୁ କରି ଗିରଫ୍‌ କଲା । କୋର୍ଟ ଚାଲାଣ କଲା । ଗିରଫ୍‌ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲା ଆମାନେର ନିବାସୀ ମହେନ୍ଦ୍ର ସୁଦାମ ମହାଜନ(୪୬), ପ୍ରବୀଣ ଗୁଲାବ ମହାଜନ(୨୭), ଫିରୋଜ ଖାନ୍‌ (୩୭), ପାରୋଲା ନିବାସୀ ଅର୍ଜୁନ ଦେଓଚାନ୍ଦ ମହାଜନ(୪୯), ଧୁରିଆ ଜିଲ୍ଲା ସନ୍ଥ ତୁକାରାମ ନଗର ନିବାସୀ ରାହୁଲ ହୀରାଲାଲ ମାଲି(୩୩), ବଲାଙ୍ଗିର ସହରର ଗେଟ୍‌ସରବରପଡ଼ାର ହମିତ କୁମାର ଜଗତ(୨୪), ସଚ୍ଚିନ ପାତ୍ର(୪୪), କଂସାରୀପଡ଼ାର ଅଚ୍ୟୁତ ଚିର୍‌ଗୁନ(୪୨), ତାଲପାଲିପଡ଼ାର ଆନ୍ଥୋନୀ ନାଗ(୪୬), ରାମଜୀପଡ଼ାର ପ୍ରହଲ୍ଲାଦ ଦର୍ଜୀ(୬୭), ରୁଗୁଡ଼ିପଡ଼ାର ପରବେଜ୍‌ ଖାନ୍‌(୨୬), କମ୍ଭୁ ଠାକୁର(୨୮), ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲିର ସାହୀଦ ଖାନ(୪୭) ଓ ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ୍‌ ନିବାସୀ କିଶୋର ସାହୁ(୫୫) । ଗିରଫ୍‌ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୨୦ ହଜାର ୧ ଶହ ୫୦ ଟଙ୍କା ସହ ୮ଟି ମୋବାଇଲ୍‌, ଗୋଟିଏ ଇନୋଭା କାର୍‌, ରୂପାର କୁବେର ମୂର୍ତ୍ତି ୯ଟି, ସଟ୍ଟା ଚାର୍ଟ, ସଟ୍ଟା ଚିଟ୍‌ ଆଦି ଜବତ୍‌ କରାଯାଇଥିବା ସୂଚନାରେ କୁହାଯାଇଛି । ପୁଣି ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ର ୫ ଲକ୍ଷ ୨୭ ହଜାର ୪ ଶହ ୬୫ ଟଙ୍କା ବଲାଙ୍ଗିର ପୋଲିସ ପକ୍ଷରୁ ଫ୍ରିଜ୍‌ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ବାଗ ସୂଚନାରେ କହିଛନ୍ତି ।

Leave A Reply

Your email address will not be published.