jayashree

ଗୁରୁତର ଅଭିଯୋଗ : ତେଲେଙ୍ଗାନା ଇଟାଭାଟିରେ ୧୩ ଶ୍ରମିକ ବନ୍ଧକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଟା ଗଢ଼ିବାକୁ ଶ୍ରମିକ ଭାବରେ ଯାଇଥିଲେ । ଏବେ ତିନି ପରିବାରର ୧୩ ଜଣ ଇଟାଭାଟିରେ ବନ୍ଧକ ଅଛନ୍ତି । ବନ୍ଧକ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିବାକୁ ଜଣେ ଯୁବକ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଅଭିଯୋଗକାରୀ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସଦର କାମାକ୍ଷୀନଗର ନିବାସୀ ଧୀରଜ ପୁଟେଲ(୨୮) । ତାଙ୍କ ଅଭିଯୋଗ ଅନୁସାରେ ଗତ ଅକ୍ଟୋବର ମାସ ୯ ତାରିଖ ଦିନ ବେଲପଡ଼ା ବ୍ଲକ୍‌ ଡୁଙ୍ଗୁରିପାଲିର ଶ୍ରମିକ ସର୍ଦ୍ଦାର ଭୁବନ ସୁନା ଓ ଦେଓଗାଁ ବ୍ଲକ୍‌ ବଡ଼ବନ୍ଧର ପ୍ରସନ୍ନ ଚିନ୍ଦା କାମାକ୍ଷୀନଗରରୁ ଅଭିଯୋଗକାରୀ ଯୁବକଙ୍କ ସହ ୩ ପରିବାରର ସଦସ୍ୟଙ୍କୁ ତେଲେଙ୍ଗାନାର ରାଙ୍ଗାପୁରକୁ ଇଟା ଗଢ଼ିବା କାମରେ ଶ୍ରମିକ ଭାବେ ସାଙ୍ଗରେ ନେଇ ଇଟାଭାଟି ମାଲିକଙ୍କ ପାଖରେ ଜିମା ଦେଇ ଚାଲି ଆସିଥିଲେ । ତେବେ ସେଠାରେ ଦୀର୍ଘ ୧ ମାସରୁ ଅଧିକ ସମୟ ଧରି କାମ କରୁଥିବା ସଂପୃକ୍ତ ତିନି ପରିବାରର ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ପ୍ରତ୍ୟହ ୨୪ ଘଂଟା ଖାଟାଉଥିବା ବେଳେ ସେମାନଙ୍କୁ ଟଙ୍କା ପଇସା ବି ଦେଉ ନଥିବା ଅଭିଯୋଗ କରିଛନ୍ତି ଧୀରଜ । ଏପରିକି ଖାଇବା ପିଇବାରେ ବି ଅନେକ ଅସୁବିଧା ଭୋଗୁଛନ୍ତି ଶ୍ରମିକମାନେ । କାମ ନକଲେ ଗାଳିଗୁଲଜ୍‌, ଧମକ୍‌ଚମକ୍‌ ଦେଇ ତୁମକୁ କାମ ନକଲେ ଛାଡ଼ିବିନି ବୋଲି ଇଟାଭାଟି ମାଲିକ ଏ. ଦୀପୁ ଭେଙ୍କଟେଶ୍ୱର କହୁଥିବା ଅଭିଯୋଗ କରାଯାଇଛି । ତେବେ ଧୀରଜ କହିଛନ୍ତି ଯେ, ସେ କଳେ ବଳେ କୌଶଳେ ସେଠାରୁ ଲୁଚି ପଳାଇ ଆସିଥିବା ବେଳେ ସେଠାରେ ୧୩ ଜଣ ଶ୍ରମିକ ବନ୍ଧକ ଭାବେ ରହି କାମ କରୁଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ପିଙ୍କୁ ଗୁହାରି କରିଛନ୍ତି ଅଭିଯୋଗକାରୀ ଯୁବକ ଧୀରଜ ପୁଟେଲ୍‌ ।

Leave A Reply

Your email address will not be published.