ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ନେଇ ପତ୍ନୀ ଆଜି ବଲାଙ୍ଗିର ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅଭିଯୋଗକାରିଣୀ ମହିଳା ଜଣକ ହେଉଛନ୍ତି ଶାନ୍ତିପଡ଼ାର ରୀତାଞ୍ଜଳି ଉପାଧ୍ୟାୟ । ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ସୁବ୍ରତ ଉପାଧ୍ୟାୟ ବଲାଙ୍ଗିର ସହରର ଇଚ୍ଛାପଡ଼ାରେ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖି ସେଠାରେ ରହି ଆସୁଛନ୍ତି । ତେବେ ରୀତାଞ୍ଜଳି କହିଛନ୍ତି ଯେ, ସ୍ୱାମୀ ସୁଧୁରିଯିବେ ବୋଲି ତାଙ୍କୁ ଅନେକ ସୁଯୋଗ ଦେଇଥିବା ବେଳେ ସ୍ୱାମୀ ଜଣକ ନସୁଧୁରିବାରୁ ବାଧ୍ୟ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହି କଥାକୁ ନେଇ ସ୍ୱାମୀ ତାଙ୍କୁ ମାର୍ପିଟ୍ କରିଥିବାରୁ ସେ ଥାନାକୁ ଆସି ଅଭିଯୋଗ କରିଥିଲେ । ସେତେବେଳେ ସ୍ୱାମୀ ଜଣକ ଦୋଷ ମାନି ମିଳାମିଶା କରିବାର ଅଭିନୟ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ତାଙ୍କ ପୁରୁଣା ଅଭ୍ୟାସରୁ ନିବୃତ ହୋଇ ନଥିଲେ । ଏଣୁ ସେ ବାଧ୍ୟ ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।