ଆସନ୍ତା ୧୮ରେ କୋଶଲ ମହାବନ୍ଦକୁ ସଫଳ କରିବା ପାଇଁ ପ୍ରମୋଦ ମିଶ୍ରଙ୍କ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୮ରେ କୋଶଲ ମହାବନ୍ଦ । ଏହି ମହାବନ୍ଦକୁ ସଫଳ କରାଇବା ପାଇଁ କୋଶଲବାସୀଙ୍କୁ ଆହ୍ୱାନ କରିଛନ୍ତି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର । କୋଶଲ ରାଜ୍ୟ ଆନ୍ଦୋଳନ ପ୍ରସଙ୍ଗରେ କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ରଙ୍କ ଦ୍ୱାରା ଆଜି ପୂର୍ବାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଦଳମତ ନିର୍ବିଶେଷରେ ସମସ୍ତେ ରାଜରାସ୍ତାକୁ ଆସି କୋଶଲ ମୁକ୍ତି ଆନ୍ଦୋଳନକୁ ଜୋର୍‌ଦାର୍‌ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, କୋଶଲ ଏକ ଐତିହାସିକ ଅଂଚଳ ଅଟେ । ଏକଦା ପୃଥିବୀର ଏକ ସମୃଦ୍ଧ ଅର୍ଥନୈତିକ ଜୋନ୍‌ ରୂପେ ପରିଚିତ ଏହି ଅଂଚଳ ୧୯୩୬ ମସିହା ଓ ୧୯୪୮ ମସିହା ଦୁଇଟି ପର୍ୟ୍ୟାୟରେ ଓଡ଼ିଶା ସହ ମିଶିବା ପରେ ଏହି ଅଂଚଳର ଦୁର୍ଭାଗ୍ୟ ଆରମ୍ଭ ହୋଇଥିଲା । ଏହାଫଳରେ କ୍ରମାଗତ ଭାବରେ ଆଂଚଳିକ ବୈଷମ୍ୟ ଓ ପ୍ରଶାସନିକ ଅବହେଳାର ଶିକାର ହୋଇ କୋଶଲାଂଚଳ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଏ ଅଂଚଳର ଉଗ୍ର ମାନବିକ ସମସ୍ୟା ଅନାହାର ମୃତ୍ୟୁ, ପିଲା ବିକ୍ରି, ଚାଷୀ ଆତ୍ମହତ୍ୟା, ଦାଦନ ଶ୍ରମିକ ସମସ୍ୟା, ବେକାରୀ ସମସ୍ୟା, ଅନାହାର ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତା ଲାଗି ରହିଛି । କୋଶଲବାଦୀ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ, ଆଜିଯାଏ କୋଶଳାଂଚଳର ଅଧିକାଂଶ ଅଂଚଳରେ ମୌଳିକ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ, ପାନୀୟ ଜଳ ଇତ୍ୟାଦିର ସମାଧାନ ହୋଇପାରିନାହିଁ । ଚାଷୀମାନଙ୍କୁ ଚାଷରେ ସହଯୋଗ ମିଳୁ ନଥିବାରୁ ତଥା ସେମାନଙ୍କ ପାଇଁ ଆବଶ୍ୟକୀୟ ବଜାର ବ୍ୟବସ୍ଥା ନଥିବାରୁ ଚାଷୀମାନେ ପ୍ରତିବର୍ଷ ଅଭାବ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏଥିସହିତ କୋଶଳାଂଚଳର ଭାଷା, ସାହିତ୍ୟ ଓ ଇତିହାସକୁ ମଧ୍ୟ ଚରମ ଅବହେଳା କରାଯାଉଛି । ଏଭଳି ସ୍ଥିତିରେ ଯଦି ସ୍ୱାଭିମାନ ଓ ସମୃଦ୍ଧ ଭାବରେ ଏ ଅଂଚଳର ଜନସାଧାରଣ ବଂଚିବାକୁ ଚାହୁଁଛନ୍ତି, ତେବେ ସମସ୍ତେ ସମ୍ମିଳିତ ଭାବରେ କୋଶଲ ଆନ୍ଦୋଳନକୁ ଶାଣିତ କରନ୍ତୁ ବୋଲି ଶ୍ରୀ ମିଶ୍ର ମତ ଦେବା ସହ କୋଶଲ ମହାବନ୍ଦକୁ ସଂପୂର୍ଣ୍ଣ ସହଯୋଗ କରିବାକୁ ସେ ଆହ୍ୱାନ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସହ କୋଶଲବାଦୀ ନେତା ଅବ୍‌ଦୁଲ୍‌ ଜମାଲ୍‌ ଖାଁ, ଶରତ ହୋତା, ମନୋରଂଜନ ସାହୁ, ବିଭୂଦତ୍ତ ମିଶ୍ର, ରବି ମିଶ୍ର ଓ ରଣରାଜ ସିଂହଦେଓ ପ୍ରମୁଖ ମଂଚାସୀନ ଥିଲେ ।।

Leave A Reply

Your email address will not be published.