oom

ଶିକ୍ଷକ ଜଗତରେ ନକଲି ଅସଲିକୁ ନେଇ ବେଶ୍‌ ଚର୍ଚ୍ଚା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତିର ବଡ଼ ର‍୍ୟାକେଟ୍‌ ପୋଲିସ ହାତରେ ଧରାପଡ଼ିବା ପରେ ଶିକ୍ଷା ବିଭାଗରେ ଯଥେଷ୍ଟ ନକଲି ସାର୍ଟିଫିକେଟ୍‌ଧାରୀ ରହିଥିବା ଜନସାଧାରଣରେ ଆଲୋଚନା ହୋଇ ଆସୁଥିଲା । ପରବର୍ତ୍ତୀ ସମୟରେ ଏହି ଆଲୋଚନା ଧୀରେ ଧୀରେ ସତ ହେବାରେ ଲାଗିଛି । ପ୍ରଥମେ ୪ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିବା ବଲାଙ୍ଗିର ଡିଇଓଙ୍କ ପକ୍ଷରୁ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ସେଥିରୁ ୩ ଜଣ ଫେରାର୍‌ ହୋଇ ଯାଇଥିଲେ ବି ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ୍‌ କରିଥିଲା ପୋଲିସ । ପରେ ବଲାଙ୍ଗିର ବିଇଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ନକଲି ବିଏଡ଼୍‌ ସାର୍ଟିଫିକେଟ୍‌ ବଳରେ ଚାକିରି କରୁଥିବା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଠିକ୍ ବେଳକୁ ଫେରାର୍‌ ହୋଇଯାଇଥିଲେ ବାବୁ । ପରେ ପରେ ଗୁଡ଼ଭେଲା ବ୍ଲକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ତୁଷୁରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁଣି ବଲାଙ୍ଗିର ଡିଇଓ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାର ପଲ୍ଲିଶ୍ରୀ ନୋଡ଼ାଲ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଭକ୍ତ କୁମାର ସେଠ୍‌ ନକଲି ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିବା ସମ୍ପର୍କରେ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ଟାଉନ ପୋଲିସ କେସ୍‌ ରୁଜୁ କରି ଜାଲ୍‌ ସାର୍ଟିଫିକେଟ୍‌ଧାରୀ ନକଲି ଶିକ୍ଷକ ଶ୍ରୀ ସେଠ୍‌ଙ୍କୁ ଗିରଫ କରିବା ସହ ନକଲି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡ଼ିପିଓ ଶ୍ରୀ ବାଗ୍‌ ସୂଚନା ଦେଇଛନ୍ତି । ତେବେ ଶିକ୍ଷକ ଜଗତରେ ନକଲି ଅସଲିକୁ ନେଇ ବେଶ୍‌ ଚର୍ଚ୍ଚା ଏବେ ଜୋର୍‌ ଧରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.