ଭୁବନେଶ୍ୱର, (ପିଆଇବି) : ଆଜି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ । ବାଙ୍ଗିରିପୋଷୀ ଘାଟିର ସଂପ୍ରସାରଣ, ଏନଏଚ୍ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍ ଗୁଡିକ ଚିହ୍ନଟ କରି ଖୁବ୍ଶୀଘ୍ର ଡିପିଆର ପ୍ରସ୍ତୁତ କରାଯାଇ ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଝାରପୋଖରୀଆର ଅର୍ଦ୍ଧ ନିର୍ମିତ ପୋଲ ଏବଂ ପାଲବଣୀ ଓ ଯୁବଲୀ ପେଟ୍ରୋଲ ପମ୍ପ ନିକଟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ପରିବେଶ ଉପଯୋଗୀ ଗଛ ଯଥା ନିମ୍ବ, ଜାମୁ, ଶାଳ, ପିଆଶାଳ, ଆମ୍ବ ଇତ୍ୟାଦି ଲଗାଇବା ପାଇଁ ଏନଏଚ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ପଶୁପକ୍ଷୀଙ୍କର ଆବଶ୍ୟକତା ପୂରଣ ହୋଇପାରିବ । ଗଛ ବୃଦ୍ଧି ପାଇଁ ଗୋଶାଳାମାନଙ୍କ ଠାରୁ ପ୍ରାକୃତିକ ସାର ଓ ଜୈବିକ ସାର ନେଇ ଗଛଗୁଡିକରେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଗୋପାଳପୁର, ଦୀଘା କୋଷ୍ଟାଲ ହାଇୱେର ନୂତନ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ବସ୍ଷ୍ଟପ୍ ଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଡିସ୍ପ୍ଲେ କରିବା ଏବଂ ସୋଲାର ଅପରେଟେଡ୍ ଲାଇଟିଂ ବ୍ୟବସ୍ଥା ବସ୍ଷ୍ଟପ୍ ଗୁଡିକରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାରେ ଦୁର୍ଘଟଣାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରି କଳାଦାଗ ଘୋଷଣା କରି ବିହୀତ ପଦକ୍ଷେପ ନେବା ପାଇଁ ଆଦେଶ ଦେଇଥିଲେ । ବହୁଦିନରୁ ବାଙ୍ଗିରିପୋଷି ରାସ୍ତାର ସମ୍ପ୍ରସାରଣରେ ବାଧା ଆସୁଥିବା ପଥରକୁ ଫଟେଇବା ପାଇଁ ବ୍ଲାଷ୍ଟିଂ ପରମିଶନ ଯଥାଶୀଘ୍ର ଜିଲ୍ଲାପାଳ ତଥା ଜଙ୍ଗଲ କର୍ତୃପକ୍ଷଙ୍କ ଠାରୁ ନେବା ପାଇଁ ଏନଏଚଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ(ଇଏମ୍ଆର୍ଏସ) : ଓଡିଶାରେ ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ ନିର୍ମାଣ କରୁଥିବା ସମସ୍ତ ଭାରତ ସରକାରଙ୍କର ବ୍ୟବସାୟୀଙ୍କ ସଂସ୍ଥା(ପିଏସ୍ୟୁ)ର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଜଙ୍ଗଲ ସମସ୍ୟା ଥିବା ଇଏମ୍ଆରଏସ୍ ସ୍ଥାନ ଗୁଡିକ ସମାଧାନ କରି ବିଭାଗକୁ ହସ୍ତାନ୍ତର ନକରୁଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ମାନ୍ୟବର ମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ଏକଲବ୍ୟ ବିଦ୍ୟାଳୟକୁ ଶୀଘ୍ର ଶେଷ କରିବା ସହିତ ଓଡ଼ିଶାରେ ନିର୍ମାଣ କରିବାକୁ ଥିବା ୮୭ଟି ଏକଲବ୍ୟ ବିଦ୍ୟାଳୟ ଗୁଡିକର ପୂର୍ବ ନିର୍ମାଣ ପ୍ରସ୍ତୁତି ଶେଷ କରି ଭୂମିପୂଜନ ସାରିବା ପାଇଁ ପିଏସୟୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କୋଳିଅଣାଠାରେ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲର ଶୁଭ ଉଦ୍ଘାଟନ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଆସନ୍ତା ନଭେମ୍ବର ୨୦ତାରିଖରେ କରାଯିବାକୁ ସ୍ଥିରିକୃତ ହୋଇଛି । ସମସ୍ତ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେଲେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେବା ଆଶା ରଖିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଶେଷରେ ମନ୍ତ୍ରୀ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀଙ୍କ ସହିତ ଓଡ଼ିଶାର ଜଳ ସମସ୍ୟା ଉପରେ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟ୍ରାଇଫେଡ କମିଶନର ଓ ତାଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବନଧନ ବିକାଶ କେନ୍ଦ୍ରର କିପରି ବିକାଶ ହେବ ଓ ଆଦି ମହୋତ୍ସବ ବିଷୟରେ ମାନନୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।