jayashree

ସୂଜିଆ ଏମଆଇପିରେ ନିମ୍ନମାନର କାମ ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଜନ ଅଧୀନ ଲୋଇସିଂହା ବ୍ଲକ ସୂଜିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଛନ୍ତି । ଚାଷଜମିକୁ ଜଳସେଚନ ଉଦ୍ଦେଶ୍ୟରେ ଗତ ଛଅ ଦଶନ୍ଧି ତଳେ ୧୯୬୦ ମସିହାରେ ଏହି ପ୍ରକଳ୍ପ ନିର୍ମିତ ହୋଇଥିଲା । ବଲାଙ୍ଗିର ସଦର ବ୍ଲକ ଓ ଲୋଇସିଂହା ବ୍ଲକର ୧୦ ଖଣ୍ଡ ଗ୍ରାମର ୪୯୦ ହେକ୍ଟର ଚାଷଜମି ଏହି ପ୍ରକଳ୍ପରୁ ଜଳସେଚିତ ହୋଇଥାଏ । ପ୍ରକଳ୍ପ ତିଆରି ସମୟର ଉତ୍ତମ ମାନର କାମ ଯୋଗୁଁ ଆଜି ସୁଦ୍ଧା ଏହି ପ୍ରକଳ୍ପର କୌଣସି କ୍ଷତି ହୋଇନାହିଁ । ତେବେ ଗ୍ରାମବାସୀଙ୍କ ବାରଣ ସତ୍ତ୍ୱେ ଦରକାରନ ଥାଇ ସୁଦ୍ଧା ଚଳିତ ବର୍ଷ ଏପ୍ରିଲ ମାସରେ ଠିକାଦାରଙ୍କ ଦ୍ୱାରା ଏହି ପ୍ରକଳ୍ପର କିଛି ଅଂଶକୁ ଭଙ୍ଗାରୁଜା କରାଯାଇ ମରାମତି କରାଯାଇଥିଲା । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଦୂରଦର୍ଶୀତା ଅଭାବରୁ ବିନା ସୂଚନା ଫଳକରେ ଅନାବଶ୍ୟକ ଭାବେ ଅତି ନିମ୍ନମାନର କାମ କରାଯାଇ ସରକାରୀ ରାଜକୋଷରୁ ୧୫ ଲକ୍ଷ ଟଙ୍କା ବରବାଦ୍ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପର ଉପର ମୁଣ୍ଡରେ କାମ କରାଯିବା ବଦଳରେ ମୁଖ୍ୟ ଦ୍ଵାରରେ କାମ କରାଯାଇଥିବା ଯୋଗୁଁ ପ୍ରକଳ୍ପର ଜଳଧାରଣ କ୍ଷମତା ହ୍ରାସ ପାଇଛି । ଫଳରେ ତିରୋଟ ସମୟର ଫସଲକୁ ପାଣି ଯୋଗାଇବାରେ ଚାଷୀ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ଏ ନେଇ ବିଭାଗୀୟ ଠିକାଦାର ବିଷ୍ଣୁଦତ୍ତ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ବିଭାଗୀୟ ସହକାରୀ ଯନ୍ତ୍ରୀ ଲଲିନ୍ଦ୍ର ବେହେରାଙ୍କୁ ପଚରାଯିବାରେ ସେ ଆବଶ୍ୟକ ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକ ହେଲେ ସଂପୃକ୍ତ ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରାଯାଇ ତାଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି ପ୍ରକାଶ କରିଥିଲେ । ସ୍ଥାନୀୟ ଚାଷୀଙ୍କ ସାମୁହିକ ସ୍ୱାର୍ଥକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଳ ଏହି ପ୍ରକଳ୍ପ ପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବା ସକାଶେ ଚାଷୀ କେଶବ ଭୋଇ, ଗଣନାଥ ଭୋଇ, ପଦ୍ମନାଭ ଭୋଇ, ସାର୍ତିକ ଭୋଇ, ସୁଦର୍ଶନ ସାହୁ, ବିନୋଦ ମଟାରି, ବୈଶାଖୁ ପୋଢ଼ ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.