ବଲାଙ୍ଗିର, (କେପିଏନ୍ଏସ୍) : ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ହେମଲତା ଛୁରିଆଙ୍କ ୭୪ ବର୍ଷ ବୟସରେ ଗତକାଲି ଭୁବନେଶ୍ୱର ଏମସ୍ ହସ୍ପିଟାଲଠାରେ ପରଲୋକ ହୋଇଯାଇଥିଲା । ଆଜି ସକାଳୁ ବିଭୂତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବିଭୂତିପଡ଼ା ଶ୍ମଶାନ ଘାଟକୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯାଇ ସେଠାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଶାନ୍ତ୍ୱନା ଦେଇଛନ୍ତି । ସ୍ୱର୍ଗତା ହେମଲତା ଜଣେ ମିଷ୍ଟଭାଷିଣୀ, ଧର୍ମପରାୟଣା ମହିଳା ଥିଲେ । ତାଙ୍କର ତିରୋଧାନରେ ସହରରେ ଶୋକର ଛାୟା ଖେଳିଯାଇଛି । ବହୁ ଆତ୍ମୀୟ ସ୍ୱଜନ ତଥା ସହରର ଗଣ୍ୟମାନ୍ୟ ବ୍ୟକ୍ତି ନାଟ୍ୟଭୂଷଣ ଜଗଦାନନ୍ଦଙ୍କ ମାଲପଡା ସ୍ଥିତ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ମଶାନରେ ବହୁ ସଂଖ୍ୟାରେ ବଲାଙ୍ଗିରର କବି, ଲେଖକ, କଳାକାର ତଥା ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।