ବଲାଙ୍ଗିରଠାରେ ଡାଲଖାଇ ଗବେଷଣା କେନ୍ଦ୍ର ଏବଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ତହଁକ କୁଟୁମ ତରଫରୁ ଦାବୀପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଡାଲଖାଇ, ହୁମୋ ବଉଲି, ଢାପ୍, ଘୁଡ଼କା ଆଦି ଲୋକକଳା ଅତି ପ୍ରାଚୀନ ଏବଂ ସ୍ଵତନ୍ତ୍ର । ଆଜି ମଧ୍ୟ ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳର ନାରୀମାନେ ଡାଲଖାଇ, ହୁମୋ ବଉଳି ଆଦି ଲୋକକଳାକୁ ବଞ୍ଚାଇ ରଖିବାକୁ ସଂଘର୍ଷରତ । ପ୍ରୋତ୍ସାହନ ଅଭାବରୁ ଦାଦନ ପ୍ରବଣ ବଲାଙ୍ଗିରରେ ଉପରୋକ୍ତ ମହାନ୍ ଲୋକକଳା ହଜିବାକୁ ବସିଲାଣି । ଏହି ଲୋକକଳାକୁ ପୁନଃଉଦ୍ଧାର ସହ ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଜିଲ୍ଲାରେ ଡାଲଖାଇ, ହୁମୋ ବଉଲି, ଢ଼ାପ୍, ଘୁଡକା ଆଦିର ପ୍ରଶିକ୍ଷଣ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ତହଁକ୍ କୁଟୁମ ପକ୍ଷରୁ ଡେପୁଟି କଲେକ୍ଟରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ ଭାରତ ସରକାର ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମଧ୍ୟ ଅନୁରୋଧ ପତ୍ର ଦିଆଯିବ ବୋଲି ତହଁକ୍ ସମ୍ପାଦକ ରାଜେଶ୍ ଦଣ୍ଡସେନା ଜଣାଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଲୋକକଳା ଗବେଷଣା କେନ୍ଦ୍ର ତଥା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେଲେ ପଡୋଶୀ ଜିଲ୍ଲା ଉପକୃତ ହେବା ସହ ଦାଦନ ସମସ୍ୟା ପ୍ରଶମିତ ହେବ ବୋଲି ତହଁକ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ କହିଛନ୍ତି । ଆଗାମୀ ଦିନରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକକଳା/ ସଂସ୍କୃତି ପୁନଃଉଦ୍ଧାର ଏବଂ ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଜିଲ୍ଲାରେ ସେହି ଜିଲ୍ଲାର ମୌଳିକ କଳାର ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ସରକାରଙ୍କୁ ନିବେଦନ ପତ୍ର ପଠାଯିବ ବୋଲି ତହଁକ କୁଟୁମ ତରଫରୁ ସୂଚନା ଦିଆଯାଇଛି ।
ଦାବୀପତ୍ର ଦେବା ବେଳେ ଗବେଷକ କପିଳେଶ୍ୱର ଖମାରୀ, ସଂଗଠକ ଅଶୋକ କୁମାର ସାହୁ, ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା, କବୟିତ୍ରୀ ତପସ୍ୱିନୀ ପଶାୟତ ପ୍ରମୁଖ ଉପସ୍ଥିତ ରହିଥିଲେ ।