jayashree

ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ ଦେଲେ ୩୨.୫ କୋଟି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକ ସମୃଦ୍ଧ ତଥା ପ୍ରଗତିଶୀଳ ରାଜ୍ୟ ଗଠନ ସକାଶେ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ । ବଲାଙ୍ଗିର ଜିଲ୍ଲା ଲୋଇସିଂହା କଲେଜ ପଡ଼ିଆରେ ଆୟୋଜିତ “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମର ଭିଡ଼ିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରି ଅଞ୍ଚଳର ସାମୁହିକ ଉନ୍ନତି ଦିଗରେ ଉପସ୍ଥିତ ଜନସାଧାରଣଙ୍କ ସହଯୋଗ କାମନା କରିବା ସହିତ ଯୋଗାଇ ଦିଆଯାଇଥିବା ଅର୍ଥର ସୁବିନିଯୋଗ ସକାଶେ ଆହ୍ୱାନ ଜଣାଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ ସରକାର ଯୋଗାଇ ଦେଇଥିବା ପ୍ରକଳ୍ପ ଗୁଡ଼ିକ ବାବଦରେ ସୂଚନା ଦେଇଥିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ପୁଇଁତଲା ଓ ଆଗଲପୁର ବ୍ଲକର ୮୯୨ ଗୋଟି ପ୍ରକଳ୍ପ ପାଇଁ ମୋଟ ୩୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେର, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଲିଲୀମା ବେହେରା, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ବ୍ଲକ ସହକାରୀ ଯନ୍ତ୍ରୀଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଓ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.