ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ର ତଦନ୍ତ ଆରମ୍ଭ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତ କୁଆରଗାଁ (ଠେଲକୋପଡା)ରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ମାମି କଲତା (୩୦) ବୋଲି ଜଣାପଡିଛି । ଏନେଇ ସଇଁତଲା ଥାନା କେସ ନଂ ୨୭୯/୨୩ ଅନୁସାରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗିର ମେଡିକାଲକୁ ପଠାଇଛି । ଘଟଣାସ୍ଥଳରେ ସଇଁତଲା ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରୁଛି । ଅନ୍ୟପଟେ ଘଟଣାକୁ ନେଇ ମାମିଙ୍କ ବାପା ବୀର ବାରିକ ସଇଁତଲା ଥାନାରେ ମୋ’ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ସୂଚନାରୁ ପ୍ରକାଶ ଯେ, କୁଆଁରଗାଁ ଠେଲକୋପଡାର ବିମ୍ବାଧର କଲତା ଦୀର୍ଘ ୧୦ ବର୍ଷ ତଳେ ଲୋଇସିଂହା ଥାନା ଛେଲବାହାଲ ଗ୍ରାମରୁ ମାମିକୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ବର୍ତମାନ ତାଙ୍କର ୩ଟି ପୁଅ ଝିଅ ଅଛନ୍ତି । ତେବେ ଗତ ୨୦ ତାରିଖ ଶୁକ୍ରବାର ସନ୍ଧ୍ୟାରେ ମାମି ଅସୁସ୍ଥ ଅନୁଭବ କରି ତଳେ ପଡି ଯାଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ସଇଁତଲା ଡାକ୍ତରଖାନକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ମାମିର ମୃତ୍ୟୁ ଘଟିଥିବା ପରିବାର ଲୋକେ ପୋଲିସ ଆଗରେ କହିଛନ୍ତି । ଏନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଥାନା ଏଏସ୍ଆଇ ଆଲୋକ ପ୍ରସାଦ ଭୋଇ, ସଂଗୀତା ବେକ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ୍ ପହଂଚିଥିଲେ । ଏସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣା ସତ୍ୟସତ୍ୟା ଜଣାପଡିବ ବୋଲି ପ୍ରକାଶ କରିଥିଲେ । ଉକ୍ତ ମାମଲାକୁ ଏସ୍ଆଇ ଶ୍ରୀ ଭୋଇ ତଦନ୍ତ କରୁଥିବା ଜଣାପଡିଛି ।