oom

ରାଜ୍ୟ ସୂଚନା କମିଶନଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦଣ୍ଡିତ

jsmm

ବଲାଙ୍ଗିର : ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଯୋଗାଇ ଦେବାରେ ଅବହେଳା କରିବା ସହିତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆବେଦନକାରୀଙ୍କୁ କୌଣସି ତଥ୍ୟ ଯୋଗାଇ ଦିଆଯାଇ ନଥିବା ଯୋଗୁଁ ଓଡିଶା ରାଜ୍ୟ ସୂଚନା କମିଶନର ବଲାଙ୍ଗିର ସଦର ବ୍ଲକର ତତ୍କାଳୀନ ଜନସୂଚନା ଅଧିକାରୀ ତଥା ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ କାର୍ୟ୍ୟରତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଦଣ୍ଡିତ ଅର୍ଥ ସଂପୃକ୍ତ ଅଧିକାରୀଙ୍କ ମାସିକ ଦରମାରୁ ଆଦାୟ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ମାନ୍ୟବର କମିଶନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଚୁଡ଼ାପାଲିର ସାମ୍ବାଦିକ ଦେବରାଜ ନାହାକ ଗତ ତା: ୦୭/୦୫/୨୦୧୮ ରେ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ବଲାଙ୍ଗିର ସଦର ବ୍ଲକର ବାର୍ଦ୍ଧକ୍ୟ, ବିଧବା ତଥା ବିକଳାଙ୍ଗ ଭତ୍ତା ବାବଦରେ ତଥ୍ୟ ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ ଫର୍ମ- ‘ଘ’ରେ ବଲାଙ୍ଗିର ସଦର ବ୍ଲକ ଲୋକ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଠିକ୍ ସମୟରେ ସୂଚନା ନ ମିଳିବାରୁ ସେ ଗତ ତା. ୧୧/୦୬/୨୦୧୮ରେ ପ୍ରଥମ ଅପିଲ କରିଥିଲେ । ତଥାପି ମଧ୍ୟ ଶ୍ରୀ ନାହାକ କୌଣସି ତଥ୍ୟ ନ ପାଇବାରୁ ଗତ ତା. ୧୬/୦୮/୨୦୧୮ ଦିନ ରାଜ୍ୟ ସୂଚନା କମିଶନର, ଭୁବନେଶ୍ୱରଙ୍କ ଦ୍ୱାରସ୍ଥ ହୋଇ ଦ୍ଵିତୀୟ ଅପିଲ କରିଥିଲେ । ରାଜ୍ୟ ସୂଚନା କମିଶନ ଏହି ଆବେଦନର ବିଚାର କରି ଚିଠି ନଂ- ୪୮୯୭୨, ତା: ୦୨/୦୯/୨୦୨୩ ରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ପୂର୍ବରୁ ସମ୍ବଲପୁରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥିବା ମଦନଜିତ୍ ହୋତା ଏବେ ବଲାଙ୍ଗିର ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ୟ୍ୟରତ ଥିବାରୁ ଉଭୟ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏ ନେଇ ବିହିତ ପଦକ୍ଷେପ ନେବା ସକାଶେ କମିଶନ ନିର୍ଦ୍ଧେଶ ଦେଇଛନ୍ତି । ଦୀର୍ଘ ୫ ବର୍ଷ ପରେ ରାଜ୍ୟ ସୂଚନା କମିଶନ ଉଚିତ୍ ପଦକ୍ଷେପ ନେଇଥିବାରୁ ଆବେଦନକାରୀ ତଥା ସାମ୍ବାଦିକ ଦେବରାଜ ନାହାକ ଧନ୍ୟବାଦ୍ ଜଣାଇଛନ୍ତି ।

jittmm
Leave A Reply

Your email address will not be published.