ସରକାରୀ ସର୍ବସାଧାରଣ ଜମିକୁ ଜବର ଦଖଲରୁ ଉଚ୍ଛେଦ ପାଇଁ ତହସିଲଦାର ନିକଟରେ ଫେରାଦ ହେଲେ ପଡାବାସୀ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳର କାଦୋପଡା ୱାର୍ଡ ନଂ. ୫ରେ ଥିବା ସର୍ବସାଧାରଣ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବର ଦଖଲ କରିଛି । ଜବର ଦଖଲ ଜମିରେ ଯୋର ଜବରଦସ୍ତ ଘର ନିର୍ମାଣ କରୁଥିବାରୁ ପଡାବାସୀ ତହସିଲଦାର କଂଟାବାଂଜିଙ୍କଠାରେ ଉଛେଦ କରିବା ପାଇଁ ଗୁରୁବାର ଦିନ ଫେରାଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି ଏନ୍‌ଏସିର ୱାର୍ଡ ନଂ. ୫ କାଦୋପଡାରେ ସର୍ବସାଧାରଣ ସରକାରୀ ଜମି ଖାତା ନଂ.୨୯୫ରେ ଏକର ଏକର ଜମି ରହିଛି । ଏହି ଖାତାର ପ୍ଲଟ ନଂ. ୩୭୯ରେ ଥିବା ଜମିକୁ ସେହି ପଡାର ପଙ୍କଜ ପାଣ୍ଡେ ଓ ରାମପ୍ରବେଶ ପାଣ୍ଡେ ନାମକ ଦୁଇ ଜଣ ବ୍ୟକ୍ତି ପକ୍କା ଘର ନିର୍ମାଣ କରୁଛନ୍ତି । ଏହି ଘର ନିର୍ମାଣ ହେଲେ ପଡାରେ ଥିବା ଗରୀବ ଜନସାଧାରଣ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଜାଗା ଖଣ୍ଡେ ପାଇପାରିବେ ନାହିଁ । ସରକାରୀ ଜମିକୁ ଜବର ଦଖଲ ନେଇ ବିଭିନ୍ନ ସମୟରେ ଜିଲ୍ଲାପାଳ ବଲାଙ୍ଗିର, ଉପଜିଲ୍ଲାପାଳ ଟିଟିଲାଗଡ, ତହସିଲଦାର କଂଟାବାଂଜି, ନିର୍ବାହୀ ଅଧିକାରୀ ଏନ୍‌.ଏ୍‌.ସି. କଂଟାବାଂଜିକୁ ମଧ୍ୟ ଲିଖିତ ଜଣାଇଥିଲେ । ଏପରିକି ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି କଂଟାବାଂଜି ତହସିଲଦାର ରାଜସ୍ୱ ନିରୀକ୍ଷକ କଂଟାବାଂଜିକୁ ଜମିର ସ୍ଥିତି ଜାଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶମତେ ଆର.ଆଇ. କଂଟାବାଂଜିଙ୍କ ଚିଠି ସଂଖ୍ୟା ୨୮୦ ତା. ୧୬.୬.୨୦୨୩ ମତେ ଜବର ଦଖଲ ହୋଇଥିବା ପ୍ଲଟ ନଂ.୩୭୯ ସରକାରୀ ସର୍ବସାଧାରଣ ଜମି ବୋଲି ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିଥିଲେ । ଆର.ଆଇ. କଂଟାବାଂଜିଙ୍କ ରିପୋର୍ଟ ଦେବାର ୪ମାସ ପରେ ମଧ୍ୟ ଉଚ୍ଛେଦ ନ ହେବାରୁ ବାଧ୍ୟ ହୋଇ ପଡ଼ାବାସୀ ଗୁରୁବାର ଦିନ କାଉନସିଲର ଯାଜ୍ଞସେନୀ ନାଗ, ଅଲୋକ ବନଛୋର, ସାର୍ଥିକ ବନଛୋର, ଶଙ୍କର ପୁଟେଲ, କୁଶ ଠେଲା, ଲତ ଠେଲା, ନୂତନ ବଗର୍ତି ଏବଂ ତିରଥ ସିଂ ଠାକୁର ତହସିଲଦାର ଅମୃତ ଲାଲ ବେହେରାଙ୍କୁ ସରକାରୀ ଜମିରୁ ଯଥା ଶୀଘ୍ର ଉଛେଦ କରିବା ପାଇଁ ଲିଖିତ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.