
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ବନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ୯୧ କେଜି ଲାଖ ସହ ୨ଟି ବାଇକ୍ ଜବତ୍ ହୋଇଥିବା ବେଳେ ଏହି ମାମଲାରେ ୪ ଜଣ ଅଟକ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସଇଁତଲା ଥାନା ଡଙ୍ଗରମୁଣ୍ଡା ଗାଁ ପାଖରୁ ବନ୍ଧପଡ଼ା ଥାନା ବ୍ରାହ୍ମଣୀଯୋର୍ ଗ୍ରାମକୁ ଲାଖ ଚୋରା ଚାଲାଣ ହେଉଥିବା ସଂପର୍କରେ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାରଙ୍କ ପାଖକୁ ଖବର ଆସିଥିଲା । ତୁରନ୍ତ ଡିଏଫ୍ଓ ଶ୍ରୀ କୁମାର ଦେଓଗାଁ ରେଂଜ୍ ଅଧିକାରୀ ଯୁଧିଷ୍ଠିର ଜାଲ୍ଙ୍କୁ ତଦନ୍ତ ପାଇଁ ଆଦେଶ ଦେବା ପରେ ରେଂଜ୍ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ଫରେଷ୍ଟର ବ୍ୟାସଦେବ ସାହୁ ଓ ଅନ୍ୟ ବନ କର୍ମଚାରୀମାନେ ଦେଓଗାଁ-ଭୁତିଆର୍ବାହାଲ୍ ରାସ୍ତାରେ ତଦାରଖ କରିଥିଲେ । ଏହି ରାସ୍ତାରେ ଦୁଇଟି ବାଇକ୍ ଏସ୍ଏସ୍ ଡିଲକ୍ସ ନଂ.ଓଡ଼ି୦୩ଆର୍ ୪୬୧୦ ଓ ପେସନ୍ ପ୍ରୋ ନଂ.ଓଆର୍୦୩ଇ୫୪୩୨କୁ ବନ ବିଭାଗ କର୍ମଚାରୀମାନେ କାବୁ କରିଥିବା ବେଳେ ଚୋରା ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ୯୧ କେଜି ଲାଖ ସହ ଦୁଇ ବାଇକ୍କୁ ଜବତ୍ କରିଥିଲେ । ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି । ବନ ବିଭାଗ ପକ୍ଷରୁ ଅଟକ ଥିବା ୪ ଜଣ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀଯୋର୍ ଗ୍ରାମର ତୀର୍ଥ ଘିଭେଲା, ପ୍ରଦୀପ ବାଗ, ରତନ ପରାଭୁଏ ଓ ଶୁକମୁନି ମନହୀରା ବୋଲି ଜଣାପଡ଼ିଛି ।