ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ସିଲେଟକାନି ଗାଁରେ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି । ଥାନାଧିକାରୀଙ୍କ ସହିତ ପୁରା ପୋଲିସ ଟିମ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଦୀର୍ଘ ଦିନ ହେବ ଗାଁର ଜୟକୃଷ୍ଣ ଦାଶ ଓ ନାରଦ ମେହେରଙ୍କ ପରିବାର ଭିତରେ ଗଣ୍ଡଗୋଳ ଲାଗି ରହିଥିବା ବେଳେ ମେହେର ପରିବାର ଗାଁର ଅନ୍ୟ ମାନଙ୍କ ସହ ମିଶି ଦାଶ ପରିବାର ଉପରେ ଗୋଷ୍ଠୀବଦ୍ଧ ଆକ୍ରମଣ କରିଥିଲେ ବୋଲି ସୂଚନାରେ କୁହାଯାଇଛି । ଏହି ଆକ୍ରମଣରେ ଘର ଭିତରକୁ ପସି ଭଙ୍ଗାରୁଜା କରିବା ସହିତ ଦାଶ ପରିବାରର ଚାରିଜଣଙ୍କୁ ମାଡ ମାରିଥିଲେ । ଦାଶ ପରିବାର ଦେଓଗାଁ ପୋଲିସକୁ ଖବର ଦେବାରୁ, ଦାଶ ପରିବାରକୁ ଉଦ୍ଧାର କରିବା ପାଇଁ ଗାଁରେ ପହଞ୍ଚିଥିଲା ପୋଲିସ । କିନ୍ତୁ ଉତ୍ତେଜିତ ଗାଁ ଲୋକେ ଥାନାଧିକାରୀଙ୍କ ସହିତ ପୁରା ପୋଲିସ ଟିମ୍କୁ ତିନିଘଣ୍ଟା ଧରି ଅଟକ ରଖିଥିଲେ । ପରେ ସ୍ଥାନୀୟ ନେତା ମାନେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପୋଲିସ ଦାଶ ପରିବାରର ଗୁରୁତର ଚାରିଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିବା ଜଣାପଡ଼ିଛି । ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଦାଶ ପରିବାର ପକ୍ଷରୁ ଦାବୀ କରାଯାଇଛି ।
Prev Post