- ୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ କଟକ ଏବଂ ଭୁବନେଶ୍ୱର ଚମ୍ପିୟାନ
- ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଚମ୍ପିୟାନ
ବଲାଙ୍ଗିର, (କେପିଏ୍ଏସ୍) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ ପିଆର ହାଇ ସ୍କୁଲ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ରେ ତିନି ଦିନ ବ୍ୟାପି ଆୟୋଜିତ ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଖିଲାରି ୠଷିକେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଖେଲୁଆଡ ମନୋଭାବ ରଖି ଖେଳ ଖେଲିବା ପାଇଁ ପରାମର୍ଶ ଦେଇଥିଲେ । ଡିଏଫ୍ଓ ନୀତିଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ଭଳି ଏକ ଜିଲ୍ଲାରେ ଜାତୀୟ ମାନର ଇନ୍ଡୋର ଷ୍ଟାଡିୟମ୍ର ଅନୁଭୂତି ପିଲାଙ୍କ ଖେଳକୁ ଆହୁରି ଆଗକୁ ନେବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସ୍କୁଲ ଶାରୀରିକ ଶିକ୍ଷା ଉପନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପଧାନ ଖେଳର ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ୧୪ ବର୍ଷରୁ କମ ବାଳକ ବିଭାଗରେ କଟକ ଚମ୍ପିୟନ୍ ହୋଇଥିବା ବେଳେ ସମ୍ବଲପୁର ଉପବିଜେତା, ୧୪ ବର୍ଷରୁ କମ୍ ବାଲିକା ବିଭାଗରେ ଭୁବନେଶ୍ୱର ଚମ୍ପିୟନ୍ ହୋଇଥିବା ବେଳେ ସମ୍ବଲପୁର ଉପବିଜେତା, ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଭୁବନେଶ୍ୱର ଚମ୍ପିୟନ୍ ହୋଇଥିବା ବେଳେ ରାୟଗଡ଼ା ଉପ ବିଜେତା ଏବଂ ୧୭ ବର୍ଷରୁ କମ ବାଳିକା ବିଭାଗରେ ମୟୂରଭଞ୍ଜ ଚମ୍ପିୟନ୍ ହୋଇଥିବା ବେଳେ ଭୁବନେଶ୍ୱର ଉପ ବିଜେତା ହୋଇଛନ୍ତି । ଆଜି ଏଠାରୁ ଚୟନ ହୋଇଥିବା ସବୁ ବର୍ଗର ଖେଳାଳି ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜିଲ୍ଲା ଶିକ୍ଷାଧିକାର ଧ୍ରୁବ ଚରଣ ବେହେରା ପୁରସ୍କାର ବିତରଣ ପରେ ଆନୁଷ୍ଠାନିକ ଭାବରେ ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ଉଦ୍ଯାପିତ ହେଲା ବୋଲି ଘୋଷଣା କରିଥିଲେ । ଆଜିର ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ବଲାଙ୍ଗିର ବ୍ୟାଡମିଣ୍ଟନ ଆସୋସିଏସନ୍ର ସମ୍ପାଦକ ସୁରୁଲାଲ ମଟାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ପାତ୍ର ମଂଚାସୀନ ଥିଲେ । ଅନ୍ତର୍ଯ୍ୟାମୀ ବିଶ୍ଵାଳ ସଭାରେ ସଂଯୋଜନା କରିଥିବା ବେଳେ ଶ୍ରୀ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ ରାଜ୍ୟ ଓ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ଅଭିଜ୍ଞ ଟେକ୍ନିକାଲ ଅଫିସିଆଲ୍ ସମସ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।