ନାମୀଦାମୀ ବ୍ରାଣ୍ଡ୍‌ର ମହୋର ଲାଗିଥିବା ଗଦା ଗଦା ନକଲି ପୋଷାକ ଜବତ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାମୀଦାମୀ ବ୍ରାଣ୍ଡ୍‌ର ମହୋର ଲାଗିଥିବା ଗଦା ଗଦା ନକଲି ପୋଷାକ ଜବତ୍‌ କରିଛି ବଲାଙ୍ଗିର ପୋଲିସ । ଏହି ମାମଲାରେ ନକଲି ରେଡ଼ିମେଡ଼୍‌ ପୋଷାକ ବେପାରୀ ବଲାଙ୍ଗିର ସହରର ଜଣାଶୁଣା ପୋଷାକ ଦୋକାନ ଲଖାନୀ ନିଉ ଗାର୍‌ମେଣ୍ଟସ୍‌ର ମାଲିକ ରାଜେଶ କୁମାର ଲଖାନୀ(୫୩)ଙ୍କୁ ଗିରଫ୍‌ କରିଛି ପୋଲିସ । ନିକଟ ଅତୀତରେ ଗଦା ଗଦା ନକଲି ସାର୍ଟିଫିକେଟ୍‌କୁ ନେଇ ବଲାଙ୍ଗିର ସହର ସାରା ଦେଶରେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଗଦା ଗଦା ନକଲି ରେଡ଼ିମେଡ଼୍‌ ପୋଷାକକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ବଲାଙ୍ଗିର ସହର । ଏ ସଂପର୍କରେ ଆଜି ଅପରାହ୍ନରେ ଟାଉନ୍‌ ଥାନା ପରିସରରେ ଆୟୋଜିତ ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ଦିଆଯାଇଥିବା ସୂଚନା ଅନୁସାରେ ମୁମ୍ବାଇର ଦୀପେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ଗତ ୩୦ ତାରିଖ ଦିନ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ଏମ୍‌ଏସ୍‌ ନେତ୍ରିକା କନ୍‌ସଲ୍‌ଟିଂ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ଼୍‌ ପକ୍ଷରୁ ବଲାଙ୍ଗିର ସହରରେ ତାଙ୍କ କଂପାନୀ ନାମରେ ନକଲି ପୋଷାକ ବିକ୍ରି ହେଉଥିବା ସଂପର୍କରେ ଅନୁସଂଧାନ ପାଇଁ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବାସ୍ତବରେ ବଲାଙ୍ଗିର ସହରରେ ତାଙ୍କ କଂପାନୀ ନାମରେ ଗଦା ଗଦା ନକଲି ପୋଷାକ ବିକ୍ରି ହେଉଥିବା ଜାଣିବାକୁ ପାଇଛନ୍ତି । ତେବେ ଅଭିଯୋଗକୁ ଆଧାର କରି ବଲାଙ୍ଗିର ଟାଉନ୍‌ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ବେଳେ ନାମୀଦାବୀ ବ୍ରାଣ୍ଡର ମହୋର ଲାଗିଥିବା ଗଦା ଗଦା ନକଲି ପୋଷାକ ରହିଥିବା ବଲାଙ୍ଗିର ସହରର ସୁଦପଡ଼ା ସ୍ଥିତ ଏକ ଗୋଦାମ ଘରେ ଚଢ଼ାଉ କରିଥିଲା ବଲାଙ୍ଗିର ପୋଲିସ । ବଲାଙ୍ଗିର ସହରର ନାମୀ ପୋଷାକ ଦୋକାନ ଲଖାନୀ ନିଉ ଗାର୍‌ମେଣ୍ଟସ୍‌ର ଗୋଦାମ ଘରକୁ ପୋଲିସ କବ୍‌ଜା କରି ବହୁ ନକଲି ପୋଷାକ ଜବତ୍‌ କରିଥିବା ଜଣାପଡ଼ିଛି । ବିପୁଳ ପରିମାଣର ପୋଷାକ ଜବତ୍‌ କରିବା ସହ ଏହି ମାମଲାରେ ଲଖାନୀ ନିଉ ଗାର୍‌ମେଣ୍ଟସ୍‌ର ମାଲିକ ରାଜେଶ କୁମାର ଲଖାନୀଙ୍କୁ ଗିରଫ୍‌ କରିବାରେ ବଲାଙ୍ଗିର ପୋଲିସକୁ ସଫଳତା ମିଳିଛି । କାଲ୍‌ଭିନ୍‌ କ୍ଲିନ୍‌, ଲେଭିସ୍‌ ଷ୍ଟ୍ରାଉଜ୍‌ ଭଳି ନାମୀଦାମୀ ପୋଷାକର ଲେବଲ୍‌ ଓ ଷ୍ଟିକର୍‌ ବ୍ୟବହାର କରି ସଂପୃକ୍ତ କପଡ଼ା ଦୋକାନରେ ବିକ୍ରି କରାଯାଉଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ଏଭଳି ନକଲି ବ୍ରାଣ୍ଡ୍‌ ଛାପା ରହିଥିବା ୫୦୦ ଟ୍ରାକ୍‌ ପ୍ୟାଣ୍ଟ, ୩୪୬ଟି ଲେଭିସ୍‌ ଷ୍ଟ୍ରାଉଜ୍‌ ଜିନ୍‌ସ୍‌ ଏବଂ ୪୧୦ଟି କାଲ୍‌ଭିନ୍‌ କ୍ଲିନ୍‌ ଜିନ୍‌ସ ସହ ବହୁ ଆପତ୍ତିଜନକ କଗଜପତ୍ର ଜବତ୍‌ କରିଛି ପୋଲିସ । ଏହି ମାମଲାରେ ଲଖାନୀ ନିଉ ଗାର୍‌ମେଣ୍ଟସ୍‌ର ମାଲିକ ରାଜେଶ କୁମାର ଲଖାନୀଙ୍କୁ ବଲାଙ୍ଗିର ପୋଲିସ ପକ୍ଷରୁ ୪୨୦/୪୬୮/୪୭୧ ଆଇପିସି/ଆର୍‌/ଡବ୍ଲ୍ୟୁ ସେକ୍ସନ ୫୧(ଏ)(ବି)/୬୩ କପି ରାଇଟ୍‌ ଆକ୍ଟ ଅନୁସାରେ ଗିରଫ୍‌ କରାଯାଇଥିବା ସୂଚନାରେ କୁହାଯାଇଛି । ତେବେ ଟାଉନ୍‌ ଥାନା ପରିସରରେ ଆୟୋଜିତ ଏହି ପ୍ରେସ୍‌ ମିଟ୍‌ରେ ଏସ୍‌ଡ଼ିପିଓ ତୋଫାନ୍‌ ବାଗଙ୍‌ଙ୍କ ସହ ବଲାଙ୍‌ଙ୍ଗିର ଆଇଆଇସି ବିଶ୍‌ଶ୍ୱଜିତ ମନବୋଧ ମଧ୍ୟ ଉପସ୍‌ସ୍ଥିତ ଥିଲେ ।

Leave A Reply

Your email address will not be published.