![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁକତେଲ ଡେମ୍ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ ହୋଇଛି । କୁହାଯାଇଛି ଯେ, ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନର୍ଗତ ଚିର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଗାଇସିଲାଟ ବ୍ଲକ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସବୁ କ୍ଷେତ୍ରରେ ଅବହେଳିତ । ନିର୍ବାଚନ ବେଳେ ନେତାମାନେ ବାରମ୍ବାର ପ୍ରତିଶୃତି ଦେଇ ଭୋଟ ହେତେଇ ନେଉଛନ୍ତି କିନ୍ତୁ ନିର୍ବାଚନ ସରିଗଲେ ଭୁଲି ଯାଉଛନ୍ତି । ଦୀର୍ଘ ବର୍ଷରୁ ଲୋୟର ସୁକତେଲ କେନାଲରୁ ଗାଇସିଲାଟ ଅଂଚଳର ଚାଷ ଜମିକୁ ପାଣି ଦିଆଯାଉ ବୋଲି ୨୦୧୧ ମସିହାରେ ବିଶିଷ୍ଟ ଜନନେତା, ସଂଗ୍ରାମୀ ନେତା, ସମାଜସେବୀ ସ୍ୱର୍ଗତ ପ୍ରସନ୍ନ କୁମାର ସାହୁଙ୍କର ନେତୃତ୍ୱରେ ଗାଇସିଲେଟ ବ୍ଲକ ଲୋୟର ସୁକତେଲ କେନାଲ ନିର୍ମାଣ ସଂଘର୍ଷ ସମିତି ନାମରେ ଏକ ସଂଗଠନ ଗଠନ କରି ଦୀର୍ଘ ବର୍ଷରୁ ଦାବି କରି ଆସୁଥିଲେ । ଯେହେତୁ ମରୁଡ଼ିଗ୍ରସ୍ତ ଗାଇସିଲାଟ ବ୍ଲକ ଶତକଡା ୩୫ ଭାଗରୁ କମ ଜଳସେଚିତ ବ୍ଲକ ରୂପେ ସ୍ଥାନ ପାଇଛି । ପ୍ରସ୍ତାବିତ ଲୋୟର ସୁକତେଲ କେନାଲ ଆମ ଗାଇସିଲାଟ ବ୍ଲକକୁ ବର୍ଦ୍ଧିତ ହେବା ପରେ ଉକ୍ତ ବ୍ଲକର ଜଗଲପାଟ, ଡାଙ୍ଗବାହାଲ, ସନ୍ଧିବାହାଲ, କଠାଉମାଲ, ଗାଇସିଲାଟ, ସରଧାପାଲି, ଗୌରେନମୁଣ୍ଡା, ଫିରିଙ୍ଗି ମାଲ, କନ୍ଦାଗାଡ଼ ସମେତ ୧୧ ଟି ଗ୍ରାମ ପଂଚାୟତର ପ୍ରାୟେ ୫୭ଟି ଗ୍ରାମର ହଜାର ହଜାର ଚାଷୀ ଉପକୃତ ହୋଇ ପାରିବେ । ଏବେ ଏହି ସୁକତେଲ ଡେମ କାର୍ଯ୍ୟକ୍ଷମ ହେବାକୁ ବସିଛି ହେଲେ ଆମ ଅଂଚଳକୁ ଚାଷ ପାଇଁ ପାଣି ମିଳିବ କି ନାହିଁ ସୁନିଶ୍ଚିତ କରାଯାଇନାହିଁ । ଏଣୁ ଆଜି ଭାଙ୍ଗମୁଣ୍ଡା ଛକ (ପଲ୍ଲୀବିକାଶ)ଠାରେ ଅଞ୍ଚଳର ଚାଷୀମାନଙ୍କୁ ଏକ ଜୁଟ କରି ଦ୍ଵିତୀୟ ଥର ବୈଠକ ଚାଷୀନେତା ଅରବିନ୍ଦ ପଣ୍ଡାଙ୍କର ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଁ ଗାଁ ବୁଲି ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିବାକୁ ଏବଂ ପ୍ରତ୍ୟେକ ଗାଁ ସ୍ତରରେ ବୈଠକ କରି ଆନ୍ଦୋଳନକୁ ତିବ୍ରତର କରିବାକୁ ନିଷ୍ପତ୍ତି ନିଆଗଲା । ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆଗାମୀ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ବୈଠକରେ ଗୌରଚନ୍ଦ୍ର ସାହୁ, ଆର୍ତ୍ତ ବନଛୋର, ନାରାୟଣ ସାହୁ, ରାମଚନ୍ଦ୍ର ସାହୁ, ଭାଗୀରଥି ଦୀପ, ପ୍ରଦୀପ ସାହୁ, ଗଜପତି ସାହୁ, ପ୍ରସନ୍ନ କୁମ୍ଭାର, ଗୌତମ ସାହୁ ଓ ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ଥିଲେ ।