ନୂଆପଡା, (ନିରାକାର ମେହେର) : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସେ ପର୍ଯ୍ୟନ୍ତ ଚଳିବ । ଚିନି ଚା’ କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କ’ଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଅ ନ ହେଲେ ଭୋଟ ଦେବୁନି ବୋଲି କହିଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗ୍ରାମର ବାସିନ୍ଦା । ଏନେଇ ଆଜି ନାଗରିକ ଅଧିକାର ଚାରିଟେବୁଲ ଟ୍ରଷ୍ଟ ଖଡିଆଲର ନୂଆପଡ଼ା ଜିଲ୍ଲା ସଭାପତି ଭ୍ରମର ବାଗ ଓ ତାଙ୍କ ସହଯୋଗୀଙ୍କ ନେତୃତ୍ଵରେ ସାମାଜିକ ମଙ୍ଗଳ ଯୋଜନାରେ ମିଳୁଥିବା ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବୀ ନେଇ ଏକ ବିଶାଳ ରାଲି କରିଛନ୍ତି ଶତାଧିକ ବୃଦ୍ଧବୃଦ୍ଧା । ଏହି ଅବସରରେ ସେମାନେ ଲର୍କା ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟଶ୍ରୀ ପଟେଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଆଦି ଅସହାୟ ବ୍ୟକ୍ତିଙ୍କୁ ସରକାର ମାସିକ ପାଞ୍ଚ ଶହ ଟଙ୍କା ପ୍ରଦାନ କରୁଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ । ଏହି ଟଙ୍କା ହୁ ହୁ ହୋଇ ବଢୁଥିବା ଦରଦାମ୍ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ରୋଗ, ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଅକ୍ଷମ । ଭାରତର ଅନ୍ୟାନ୍ୟ ରାଜ୍ୟରେ ମାସିକ ଭତ୍ତା ୨୫ ଶହରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ବେଳେ ଓଡ଼ିଶାରେ ମାତ୍ର ପାଞ୍ଚ ଶହ ଟଙ୍କା ମିଳୁଛି । ଏଣୁ ଅତି କମରେ ୪ ହଜାର ୮ ଶହ ୯୦ ଟଙ୍କା ଦେବା ପାଇଁ ଦାବୀ କରିଛନ୍ତି ଆନ୍ଦୋଳନକାରୀ । ସେହିପରି ବ୍ୟାଙ୍କରେ ଭତ୍ତା ଦିଆ ଯାଉଥିବାରୁ ସେମାନେ ଯିବା ଆସିବାରେ ସମସ୍ୟା ଭୋଗିବା ସହ ନିୟମିତ ଭତ୍ତା ପାଉ ନାହାଁନ୍ତି । ଏଣୁ ପୂର୍ବପରି ହାତେ ହାତେ ଭତ୍ତା ଦିଆଯାଉ ବୋଲି ଦାବୀ କରାଯାଇଛି ।
ନୂଆପଡା ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ଅନେକ ଗରିବ ପରିବାର ନିଜର ବୟସ୍କ ଶାଶୁ ଶ୍ୱଶୁରଙ୍କୁ ଛାଡି ବାହାର ରାଜ୍ୟକୁ କାମ କରିବାକୁ ଯାଇଥାନ୍ତି । ଫଳରେ ଘରେ ଥିବା ବୃଦ୍ଧବୃଦ୍ଧା ବହୁତ କଷ୍ଟରେ କାଳ କାଟିଥାନ୍ତି । ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଋତୁକାଳୀନ ଜରାଶ୍ରମ ପ୍ରତିଷ୍ଠା କରିବାକୁ ଦାବୀ କରାଯାଇଛି । ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରାର ବ୍ୟବସ୍ଥା କରିଛନ୍ତି କିନ୍ତୁ ସୂଚନା ତଥା ସଚେତନତା ଅଭାବରୁ ଅନେକ ବ୍ୟକ୍ତି ତୀର୍ଥ ଯାଇପାରୁ ନାହାନ୍ତି । ଏଣୁ ପ୍ରତିବର୍ଷ ପ୍ରତି ବ୍ଲକରୁ ପାଞ୍ଚଟି ବସ୍ର ବ୍ୟବସ୍ଥା କରିବା ସହ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।