୧୧ ଦଫା ଦାବୀ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବରିଷ୍ଠ କଂଗ୍ରେସ ନେତା ଅନୀଲ ମେହେରଙ୍କ ନେତୃତ୍ୱରେ ୧୧ ଦଫା ଦାବୀରେ ବେଲପଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ପ୍ରଥମେ ବେଲପଡା ତାରିଣୀ ମନ୍ଦିରଠାରେ ଶହ ଶହ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିବା ପରେ ଏକ ରେଲି ବାହାରି ବେଲପଡା ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଥିଲା ଓ ପରେ ବିଭିନ୍ନ ନାରା ବାଜି ଦେବା ସହ ଘେରାଉ କରିଥିଲେ । ପ୍ରଥମ ଦାବୀ ହେଉଛି ବ୍ଳକ କାର୍ଯ୍ୟାଳୟମାନଙ୍କୁ ଅତ୍ୟଧିକ ପିସି କାରବାର ୧୫%ରୁ ୫୦% ହେଉଥିବା ବନ୍ଦ କରିବା, ଦ୍ୱିତୀୟରେ ଏବେ ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯାଉ, ତୃତୀୟରେ ଖାଲି ପଡିଥିବା ୨ ଲକ୍ଷ ୨୬ ହଜାର ୫୬୯ ସରକାରୀ ପଦବୀ ପୂରଣ କରାଯାଉ, ଚତୁର୍ଥରେ ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଭଳି ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣଠାରୁ ତୈଳ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରାଯାଉ, ପଞ୍ଚମରେ କୃଷି ଜାତୀୟ ପଦାର୍ଥ ଅଭାବୀ ବିକ୍ରି ବନ୍ଦ କର କଟନୀ ଛଟନୀ ବନ୍ଦ କର ଓ ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାରର ସୁବିଧା କର, ଷଷ୍ଠରେ ଲୋ ଭୋଲ୍ଟେଜ ପାଓ୍ବାର କଟ୍ ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କର ଏବଂ ଟାଟା କମ୍ପାନୀର ଖାଉଟି ମାରଣା ବିଜୁଳି ନୀତି ବନ୍ଦ କର, ସପ୍ତମରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କର, ଅଷ୍ଟମରେ ନାରୀ ନିର୍ଯ୍ୟାତନା ବନ୍ଦ କର ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କର, ନବମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରିତି ତୋଷଣ କରାନଯାଉ, ଦଶମରେ ରାଜ୍ୟର ପ୍ରକୃତ ଗରିବ ବାସହୀନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ, ଏକାଦଶରେ ଅପରଲାନ୍ଥ ଡ୍ୟାମ ଯୋଜନା ଘୋଷଣା କରାଯାଉ ଓ ଶେଷରେ ବେଲପଡା ବ୍ଲକକୁ ଏନ୍‌ଏସି ମାନ୍ୟତା ଦିଆଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ କରି ଦିଆଯାଇଛି । ପରିଶେଷରେ ବେଲପଡା ବିଡ଼ିଓ ଦାବୀପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.