କଥା ରଖିଲେ ପାଣ୍ଡିଆନ୍‌ : ସୂଚନା ଦେଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ଠାରୁ ଲିଖିତ ଦରଖାସ୍ତ ଗ୍ରହଣ କରିଥିଲେ । ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ଦରଖାସ୍ତକାରୀଙ୍କୁ ସିଏମ୍‌ଓ ଅଫିସରୁ ଖୁସି ଖବର ମିଳିବ ବୋଲି ମଧ୍ୟ ସେତେବେଳେ ସେ କଥା ଦେଇଥିଲେ । ତେବେ ସାତ ଦିନ ନ ପୂରୁଣୁ କଥା ରଖିଛନ୍ତି ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ । ବଲାଙ୍ଗିର ସହରର ମନ୍ଦିର ଓ କମ୍ୟୁନିଟି ସେଣ୍ଟର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅଧୀନରେ ଅର୍ଥ ମଂଜୁର ହୋଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଦିଆଯାଇଥିବା ସୂଚନା ଅନୁସାରେ ସ୍ଥାନୀୟ ହାତୀଶାଲପଡ଼ାର ଶ୍ରୀ ଶ୍ରୀ ରାଧାମାଧବ ମନ୍ଦିରର ମରାମତି ଓ ଉନ୍ନତିକରଣ ଏବଂ ୱାର୍ଡ ନଂ.୫ରେ କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ୱାର୍ଡ ନଂ.୧୪ର ଶିବ ମନ୍ଦିର ମରାମତି ଓ ଉନ୍ନତିକରଣ ପାଇଁ ୪ ଲକ୍ଷ ଟଙ୍କା ମଂଜୁର ହୋଇଛି । ୱାର୍ଡ ନଂ.୧୭ ନନ୍ଦିନୀ ନଗରର ବିଷ୍ଣୁ ମନ୍ଦିର, ହାଟପଦାପଡ଼ାର ମା’ ସନ୍ତୋଷୀ ମନ୍ଦିର, ବ୍ରାହ୍ମଣପଡ଼ାର ଭାଗବତ ମନ୍ଦିର, ଖଲିଆପାଲିର ଜଗନ୍ନାଥ ମନ୍ଦିର, ବେହେରାପାଲିର ମା’ବାସୁମୁଡେ଼ନ୍‌ ମନ୍ଦିର, ବରପାଲିପଡ଼ାର ହନୁମାନ ମନ୍ଦିର, ଗୋପବନ୍ଧୁନଗରର ଜଗନ୍ନାଥ ମନ୍ଦିର, ଠିକାଦାରପଡ଼ାର ଜଗନ୍ନାଥ ମନ୍ଦିର ମରାମତି ଓ ଉନ୍ନତିକରଣ ପାଇଁ ପ୍ରତ୍ୟେକ ମନ୍ଦିର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ମଂଜୁର ହୋଇଛି । ବଲାଙ୍ଗିରର ଜୟଗୁରୁ ଆସନ ମନ୍ଦିର ପାଇଁ ମଧ୍ୟ ୨ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଥିବା ବେଳେ ରୁଗୁଡ଼ିପଡ଼ା ମଠଖାଇ ମନ୍ଦିର, ବିଜାଖମନ୍‌ର ସର୍ବମଙ୍ଗଳା ମନ୍ଦିର, ଠିକାଦାରପଡ଼ା ଯାଦବ ଭବନର ରାଧାକୃଷ୍ଣ ମଣ୍ଡପ, ଆଦର୍ଶପଡ଼ାର ଚର୍ଚ୍ଚ ମରାମତି ଓ ଉନ୍ନତିକରଣ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମଂଜୁର ହୋଇଛି । ସେହିପରି ତେଲିଗୋଠପଡ଼ାର କାଳି ଓ ଶିବ ମନ୍ଦିର, ଶାନ୍ତିପଡ଼ାର ହନୁମାନ, ଗଣେଶ, ଶନି ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, ହାଟପଦାପଡ଼ାର ଜଗନ୍ନାଥ ମନ୍ଦିର, ଜୁନ୍‌ହାଡ଼ିହିର ରାଧାକୃଷ୍ଣ ମନ୍ଦିର, ରାଜେନ୍ଦ୍ରପଡ଼ାର ରାଧାକୃଷ୍ଣ ମନ୍ଦିର, ବେହେରାପାଲିର ଭାଗବତ ମନ୍ଦିର ଓ ଗେଟ୍‌ସରବର୍‌ପଡ଼ାର ମଙ୍ଗଳା ମନ୍ଦିର ଓ ଭୋଗ ମଣ୍ଡପ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ମଂଜୁର ହୋଇଥିବା ସୂଚନା ଦିଆଯାଇଛି । ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍‌ ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.