ଭୁତିଆରବାହାଲ ସମିତି ସଭ୍ୟ ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତରେ ଶୁକ୍ରବାର ଅନୁଷ୍ଠିତ ସମିତି ସଭ୍ୟ ଉପନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଅଜିତ ସାହୁ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିବା ଜଣାପଡିଛି । କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ୧୦୬୧ ଭୋଟ୍ ମିଳିଥିବା ବେଳେ ନିକଟତମ ବିଜେଡି ସମର୍ଥିତ ପ୍ରାର୍ଥୀ ଦାମ ପୁଟେଲଙ୍କୁ ୭୪୩ ଖଣ୍ଡ ଭୋଟ ମିଳିଥିଲା । ଶ୍ରୀ ସାହୁ ୩୧୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଜଣାପଡିଛି । ଅନ୍ୟ ଦୁଇ ପ୍ରାର୍ଥୀ ରାଧାକାନ୍ତ ବାଗ ୨୦୬ ଖଣ୍ଡ ଏବଂ ଦମୟନ୍ତୀ ପଶାୟତ ୧୭୭ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଭୂତିଆରବାହାଲ ପଞ୍ଚାୟତର ସମିତି ସଭ୍ୟଙ୍କ ମୃତ୍ୟୁ ପରେ ସମିତି ସଭ୍ୟ ପଦବୀ ଖାଲି ପଡିଥିଲା । ଏହି ସମିତି ସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନରେ ବିଜୟୀ ହେବା ପରେ ବିଜୟୀ ଶ୍ରୀ ସାହୁ ବଲାଙ୍ଗିର ଆସି ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ବିଜୟୀ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇବା ସହ ପଞ୍ଚାୟତରେ ଜନସାଧାରଣଙ୍କ ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଜନସାଧାରଣ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେମାନଙ୍କ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେବା ସହ ସମସ୍ତ ପଞ୍ଚାୟତବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କୁ ସାକ୍ଷାତ ସମୟରେ ଗ୍ରାମ ପଞ୍ଚାୟତର ବହୁ ସମର୍ଥକଙ୍କ ସହ ବୀରେନ୍ଦ୍ର ମିଶ୍ର, ଜୁଲୁ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.