ଅମୃତ ଭାରତ ଯୋଜନାରେ ସାମିଲ ହେଲା କଂଟାବାଂଜି ରେଳ ଷ୍ଟେସନ

  • ଭର୍ଚ୍ଚୁଆଲ ମୋଡରେ ୫୦୮ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
  • କଂଟାବାଂଜିରେ ୱାଗନ ଫ୍ୟାକ୍ଟ୍ରି ନିର୍ମାଣ, ପମ୍ପୁ ତଲାବର ପୁନଃଉଦ୍ଧାର, ୭୫୦ ଏକର ରେଳ ଜମିର ହେବ ବିକାଶ : ସାଂସଦ ଶ୍ରୀମତୀ ସିଂହଦେଓଙ୍କ ପ୍ରସ୍ତାବ

କଂଟାବାଂଜି, (ଗୁରୁଦୟାଲ ହଂସ) : କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି । ଏହି ପରପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ୪ଟି ଷ୍ଟେସନ ମଧ୍ୟରୁ କଂଟାବାଂଜି ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି । ଏହି ଅବସରରେ କଂଟାବାଂଜି ରେଳ ଷ୍ଟେସନ ପ୍ଲାଟଫର୍ମ ନଂ. ୧ରେ ଅନୁଷ୍ଠିତ ସାଧାରଣ ସଭାରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ(ମୁଖ୍ୟ ଅତିଥି), ସମ୍ମାନିତ ଅତିଥି ଭାବେ ସମ୍ବଲପୁର ପୂର୍ବତଟ ରେଳ ଡିଭିଜନର ଏ.ଡି.ଆର୍‌.ଏମ୍‌. ଆନନ୍ଦ ସିଂ, ପୂର୍ବତଟ ରେଳ ଜୋନ ଭୁବନେଶ୍ୱରର ମୁଖ୍ୟ ଯନ୍ତ୍ରୀ ମୁକେଶ କୁମାର ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଦେଶର ୫୦୮ଟି ଷ୍ଟେସନ ବିଶ୍ୱ ସ୍ତରୀୟ ବିକାଶରେ କଂଟାବାଂଜି ମଧ୍ୟ ବିକାଶ ହେବ ବୋଲି ଅତିଥିମାନେ କହିଥିଲେ । ଶ୍ରୀମତୀ ସଂଗୀତା କୁମାରୀ ସଂହଦେଓ କଂଟାବାଂଜିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଅନେକ ପ୍ରସ୍ତାବ ମାନ ଦେଇଥିବା କହିଥିଲେ । ପ୍ରସ୍ତାବମାନଙ୍କ ମଧ୍ୟରେ କଂଟାବାଂଜିରେ ରେଳଡବା ମରାମତି କାରଖାନା, ସର୍ବ ପୁରାତନ ପମ୍ପୁ ତଲାବର ଉନ୍ନତିକରଣ, ଦ୍ୱିତୀୟ ରେଳ ଅଣ୍ଡର ବ୍ରିଜ, ରେଲବାଇ ଜମିର ଉନ୍ନତିକରଣ ସହିତ ବିସ୍ତାପିତ ମାନଙ୍କ ଥଇଥାନ, ଷ୍ଟେସନ ବଜାରରେ ଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ସହିତ କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିକାଶରେ ସମସ୍ତ ପ୍ରକାର ଆନ୍ତରିକତା ରହିଥିବା ସାଂସଦ କହିଥିଲେ । ରାଜ୍ୟର ଅନ୍ୟାନ୍ୟ ଷ୍ଟେସନ ଅମୃତ ଭାରତ ଯୋଜନାରେ ସାମିଲ ହୋଇଥିବା ବେଳେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ବଲାଙ୍ଗିର, ଟିଟିଲାଗଡ, କଂଟାବାଂଜି ଓ ହରିଶଙ୍କର ରୋଡ ଷ୍ଟେସନର ବିକାଶ ପାଇଁ ସର୍ବାଧିକ ଅନୁଦାନ ମିଳିଥିବା କହି ପ୍ରଧାନମନ୍ତ୍ରୀ ଓ ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ରେଳ ଡିଭିଜନ ସାଂସ୍କୃତିକ ପରଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ସଭାରେ ଭୁବନେଶ୍ୱର, ସମ୍ବଲପୁର ଓ କଂଟାବାଂଜିର ବରିଷ୍ଠ ରେଳ ଅଧିକାରୀ ସାମିଲ ଥିବା ବେଳେ କଂଟାବାଂଜି ସଭାରେ ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଭାଜପା ବିଧାୟକ ପ୍ରତିନିଧି ଲକ୍ଷ୍ମଣ ବାଗ, ନଗର ସଭାପତି ବେଦବ୍ୟାସ ନାଗ, ପ୍ରଦୀପ ବାଗ, ନିଳକଣ୍ଠ ଶତପଥୀ, ଘାସୀରାମ ଜୈନଙ୍କ ସହ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକର ପ୍ରତିନିଧି ସାମିଲ ଥିଲେ । ସେହିପରି ସହରର ଅନେକ ବୁଦ୍ଧିଜୀବୀ ସଂଗଠନ, ସାମାଜିକ କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.