ଟିଟିଲାଗଡକୁ ଫାଇବ-ଟି ସଚିବଙ୍କ ଗସ୍ତ : ଲୋକଙ୍କ ସହ ମିଶିଲେ, ଦାବୀପତ୍ର ନେଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସିଟି ସ୍କୁଲ ଖେଳ ପଡିଆରେ ହେଲିକେପ୍ଟର ଯୋଗେ ପାଖାପାଖି ସାଢେ ବାରଟା ସମୟରେ ଅବତରଣ କରିଥିଲେ ଫାଇବ-ଟି ସଚିବ ଭି କେ ପାଣ୍ଡିଆନ୍‌ । ସେଠାରେ ଜମିଥବା ବିପୁଳ ଜନ ସମୁଦ୍ର ତାଙ୍କୁ ଭବ୍ୟ ସ୍ଵାଗତ କରିବା ସହ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ନିଜେ ଫାଇବ ଟି ସଚିବ ଶ୍ରୀ ପଣ୍ଡିଆନ ସଭା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ । ସେ କହିଥିଲେ, ଟିଟିଲାଗଡର ଚର୍ଚ୍ଚା ସାରା ରାଜ୍ୟରେ ହୁଏ, ଟିଟିଲାଗଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ସେ ଭିତରେ ଟିଟିଲାଗଡ଼ର ପ୍ରମୁଖ ସମସ୍ୟା ପିଇବା ପାଣି । ୨୫ କୋଟି ବ୍ୟୟ ଅଟକଳରେ ଅକ୍ଟୋବର ୩୧ ସୁଦ୍ଧା ପିଇବା ପାଣି ସୁବିଧା ପାଇଯିବେ । ଟିଟିଲାଗଡ ସବ ଡିଭିଜନ ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯାଇଅଛି, ସେଥିପାଇଁ ୧୮ କୋଟି ଟଙ୍କା ଦିଆଯାଇଛି । ଜଳସେଚନ ଓ ପିଇବା ପାଣି ପାଇଁ ବହୁତ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି, ଯଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀ ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ କ’ଣ କ’ଣ ଯୋଜନା କରୁଛନ୍ତି, ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଦସ୍ୟମାନେ ନିଜ ନିଜର ଦାବୀପତ୍ର ପ୍ରଦାନ କରିଥିଲେ । ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରାଯାଉ ବୋଲି ଲୋକେ ଦାବୀ କରିଥିବା ବେଳେ ହଉ ଦେଖିବା ବୋଲି କହି ଚାଲି ଯାଇଥିଲେ ଫାଇବ ଟି ସଚିବ । ଏହା ଆଜି ଟିଟିଲାଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟକ୍ରମ ପାଇଁ ଖୋଦ୍ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ସ୍ଥିତି ପରଖି ଥିଲେ ।

Leave A Reply

Your email address will not be published.