୧୦ଟି ଗ୍ରାମ୍ୟ ଜଙ୍ଗଲ କମିଟିର ମହିଳା ଗୋଷ୍ଠୀ ହେବେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ

  • ଆମ ଜଙ୍ଗଲ ଯୋଜନାରେ ୮ଟି ଖଳିଦନା ମେସିନ, ୫ଟି ବିରିବଟା ମେସିନ, ୪୨ଟି ସିଲାଇ ମେସିନ ସହ ୬୬ଟି ଦିଆଯିବ ଚୌକି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ଅଧିନସ୍ଥ ୧୦ଟି ଗ୍ରାମ୍ୟ ଜଂଗଲ କମିଟିର ସ୍ୱଂୟ ସହାୟକ ମହିଳା ଗୋଷ୍ଠୀକୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ ଆମ ଜଙ୍ଗଲ ଯୋଜନାରେ ବିଭିନ୍ନ ଉପକରଣ ଦିଆଯିବ । ଯାହାଦ୍ୱାରା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟବହାର କରି ରୋଜଗାରକ୍ଷମ ହୋଇ ସ୍ୱାବଲମ୍ବୀ ହୋଇପାରିବେ । ମିଳିଥିବା ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ପରେଷ୍ଟ ରେଂଜ ତୁରେକେଲା ଥାନା ଅଧିନସ୍ଥ କନ୍ଦେଇ, ପଣ୍ଡରେନ, ଜାମକି, ମୁରିବାହାଲ, ସାନବାଙ୍କି ଅଂଚଳ ମାଓବାଦୀ ପ୍ରବଣ ଅଂଚଳ ହୋଇଥିବା ବେଳେ ଘୋର ଜଂଗଲରେ ପରିପୂର୍ଣ୍ଣ । ଏହି ଅଂଚଳର ଲୋକେ ଚାରି ଦଶନ୍ଧି ହେଲା କାମଧନ୍ଦା ନ ପାଇ ପ୍ରତ୍ୟେକ ବର୍ଷ ଇଟା ଗଢିବା ପାଇଁ ଦାଦନ ସାଜନ୍ତି । ତୁରେକେଲା ବ୍ଲକର ଏହି ଗ୍ରାମଗୁଡିକ ଅଣଜଳସେଚିତ ଓ କଳକାରଖାନା ବିହୀନ ଅଂଚଳ ହୋଇଥିବା ବେଳେ ଜମି ଚାଷବାସ କରିବା ମଧ୍ୟ ସୁବିଧା ଜନକ ନୁହେଁ । ତେଣୁ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଆନ୍ତି । ସେହିପରି ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଡେଙ୍ଗପଦର, ବାଗବାହାଲ, ସିନ୍ଧିମୁଣ୍ଡା, ଭତାସର, ସୁକୁନାଭଟା ଅଂଚଳ ମଧ୍ୟ ଠିକ୍‌ ସେହି ଅନୁରୁପ । ଏହି ଗ୍ରାମର ସ୍ୱଂୟ ସହାୟକ ମହିଳା ଗୋଷ୍ଠୀଗୁଡିକୁ ଗ୍ରାମ୍ୟ ଜଙ୍ଗଲ କମିଟି ଜରିଆରେ ଚଳିତ ୨୦୨୩-୨୪ ଆମ ଜଙ୍ଗଲ ଯୋଜନାରେ ମହିଳା ଗୋଷ୍ଠୀମାନଙ୍କୁ ୮ଟି ଖଳିଦନା ମେସିନ, ୫ଟି ବିରିବଟା ମେସିନ, ୪୨ଟି ସିଲାଇ ମେସିନ ଓ ୬୬ଟି ଚୌକି ଦିଆଯିବ । ଏହା ଦ୍ୱାରା ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଖଳିଦନା, ବିରିବଟା ମେସିନ, ସିଲାଇ ମେସିନର ବ୍ୟବହାର କରି ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ବଙ୍ଗୋମୁଣ୍ଡା ରେଂଜ ଅଫିସର ଜନାର୍ଦ୍ଦନ ଠାକୁରଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.