କେଉଁଟିପାଲି ହାଇସ୍କୁଲ ୫ଟି ରୂପାନ୍ତରଣ କାମକୁ ବନ୍ଦ କଲେ ଗ୍ରାମବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଂଚାୟତ ଅନ୍ତର୍ଗତ କେଉଁଟିପାଲି ସ୍ଥିତ ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟର ୫ଟି ରୂପାନ୍ତରଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ କାମ ବନ୍ଦ କରି ଦେଇଛନ୍ତି । ଲୋଇସିଂହା ପଂଚାୟତ ସମିତି ନାମରେ କାର୍ଯ୍ୟାଦେଶ ରହିଥିବା ବେଳେ ଯୋଗୀସର୍ଡା ସରପଞ୍ଚ ବିଜୁଳି ପଧାନ ଉକ୍ତ କାମ କରିବାକୁ ନେଇ ଲୋକେ ଦୃଢ଼ ବିରୋଧ କରିଛନ୍ତି । କେଉଁଟିପାଲି ଗ୍ରାମବାସୀ ତଥା ଗ୍ରାମ୍ୟ କମିଟିର କହିବା ମୁତାବକ, ଯୋଗୀସର୍ଡା ସରପଞ୍ଚ ବିଜୁଳି ପଧାନ ରେକର୍ଡ ତିନିଥର ସରପଞ୍ଚ ଥାଇ ସୁଦ୍ଧା କେବେ ହେଲେ ଏହି ହାଇସ୍କୁଲ ପ୍ରତି ଧ୍ୟାନ ଦେଇନାହାନ୍ତି । ତାଙ୍କ କାର୍ଯ୍ୟାକାଳ ସମୟରେ ସେ ସବୁବେଳେ ହାଇସ୍କୁଲକୁ ଅଣଦେଖା କରି ଆସିଛନ୍ତି । ୫ଟି ରୂପାନ୍ତରଣ ପ୍ରକ୍ରିୟାରେ ଏହି ଉଚ୍ଚ ବିଦ୍ୟାଳୟଟି ସାମିଲ ହେବା ପରେ ସମ୍ପୃକ୍ତ ସରପଞ୍ଚ କାହିଁକି କାମ କରିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସରପଞ୍ଚ ଶ୍ରୀମତୀ ପଧାନଙ୍କ ବ୍ୟତୀତ ପଂଚାୟତର ଯେ କୌଣସି ଉପଯୁକ୍ତ ବ୍ୟକ୍ତିକୁ ଏହି ବିଦ୍ୟାଳୟର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ସକାଶେ ଲୋକେ ଦାବୀ କରିଛନ୍ତି । ଏ ବିଷୟକୁ ନେଇ ଗତକାଲି ଗ୍ରାମ୍ୟ କମିଟି ସାମୁହିକ ଆଲୋଚନା କରିବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ପୂର୍ବ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ, ରାଜ୍ୟ ଗୃହ ଓ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ଭୁବନେଶ୍ୱର ଓଡିଶା, ବଲାଙ୍ଗିର ଜିଲ୍ଲାପାଳ ତଥା ଲୋଇସିଂହା ଥାନାଧିକାରୀଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବେ ଜଣାଇଥିଲେ । ତେବେ ବିରୋଧ ସତ୍ୱେ ଆଜି ଏହି ହାଇସ୍କୁଲରେ ସରପଞ୍ଚ ଶ୍ରୀମତୀ ପଧାନଙ୍କ ଦ୍ୱାରା ୫ଟି ରୂପାନ୍ତରଣ କାମ ଆରମ୍ଭ ହେଉଥିବା ବେଳେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ବିରୋଧ ସମୟରେ ପାଟିତୁଣ୍ଡ ହେବା ସହିତ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥିଲା । ପରେ ଲୋଇସିଂହା ବିଡ଼ିଓ ଆକାଶ ରଞ୍ଜନ ସାହୁ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ସମାଧାନର ରାସ୍ତା ନ ବାହାରିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମର ବିପିନ ଧରୁଆ, ସମ୍ପତ୍ତି ନନ୍ଦ, ସୁନୀଲ ନନ୍ଦ, ଗୀତାଞ୍ଜଳି ସାହୁ, ଦୁଃଶାସନ ଧରୁଆ, ପରଦେଶୀ ସାହୁ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.