ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୭୬ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୭୬ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୬୬ ଗୋଟି, ସାମୁହିକ ଦରଖାସ୍ତ ୧୦ ଗୋଟି ଗ୍ରହଣ କରାଯାଇ ଥିବା ବେଳେ ଶିବିରରେ ୫୪ ଗୋଟି ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଛି । ଗ୍ରହଣ ହୋଇଥିବା ଅନ୍ୟ ସମସ୍ତ ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ପାଖକୁ ପ୍ରେରଣ କରାଯାଇଛି । ଡୁଙ୍ଗୁରିପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅହଲ୍ୟା ସାହୁ, ଅଧିକ୍ଷଣ ଯନ୍ତ୍ରୀ ପିଡବ୍ଲୁଡି ଇଂ.ଦାମୋଦର କୈବର୍ତ୍ତ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୈତ୍ୟନାରାୟଣ ପାଢ଼ୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଶ୍ରମ ଉପ ନିର୍ଦ୍ଦେଶକ ଡିଲେଶ୍ୱର ଖାକା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା, ବ୍ଲକସ୍ତରୀୟ କର୍ମଚାରୀ, ଅନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!