ଟିଟିଲାଗଡ଼ ଥାନା ସମ୍ମିଳନୀ କକ୍ଷରେ ଆମ ପୋଲିସ ସମିତି ବୈଠକ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ସୋମବାର ଦିନ ସକାଳ ୧୧ଟା ସମୟରେ ଟିଟିଲାଗଡ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ସଭାପତିତ୍ୱରେ ଟିଟିଲାଗଡ ସହରର ଗଣ୍ୟମାନ୍ୟ ବ୍ୟକ୍ତି, ବିଭିନ୍ନ ଗ୍ରାମର ସରପଞ୍ଚ ତଥା ସରପଞ୍ଚଙ୍କ ପ୍ରତିନିଧି, ସମାଜସେବୀମାନଙ୍କୁ ଡକାଇ ଥାନା ସମ୍ମିଳନୀ କକ୍ଷରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି କରାଯାଇ ପାରିବ, ସେ ନେଇ ଲୋକଙ୍କ ମତାମତ ଲୋଡ଼ିଥିଲା ପୋଲିସ । ଉପସ୍ଥିତ ଲୋକେ ସହରର ଟ୍ରାଫିକ ସମସ୍ୟା, ଦୃତ ଗତିରେ ବିନା ଡ୍ରାଇଭିଂ ଲାଇସେନ୍ସରେ ନାବାଳକଙ୍କ ବାଇକ ଚଳନା, ସର୍ଗିଗୁଡା ରାମମନ୍ଦିର ଛକ ରାସ୍ତାରେ ସ୍କୁଲ ଯିବା ଆସିବା ସମୟରେ ଉପୁଜୁଥିବା ଭିଡ଼କୁ ରୋକିବାକୁ ପଦକ୍ଷେପ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା, ଉଚ୍ଚଧ୍ଵନୀ ବିଶିଷ୍ଟ ସାଇଲେନ୍‌ସର୍‌ ଲାଗିଥିବା ମଟର ସାଇକେଲକୁ ଧରିବା, ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ଆଦି ସମସ୍ୟା ଉପରେ ମତ ଦେଇଥିଲେ । ସେହିପରି ଷ୍ଟେଟ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର ପାଖରେ ପାର୍କିଂ ପାଇଁ ଲୋକେ ବହୁତ ହଇରାଣ ହେଉଛନ୍ତି । ଏହି ରାସ୍ତା ଦେଇ ଯଦି ଚାରି ଚକିଆ ଗାଡ଼ି ପସିଯାଏ ତାହେଲେ ଆହୁରି ଜାମ ପରିଲକ୍ଷିତ ହୁଏ । ଏ ଦିଗରେ ବି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଥିଲେ ଉପସ୍ଥିତ ବୁଦ୍ଧିଜୀବୀମାନେ । ଶାସ୍ତ୍ରୀ ଛକ ଠାରୁ ମାଉସୀ ମନ୍ଦିର ଛକ ଭିତରେ କିଣାକିଣି କରିବା ପାଇଁ ରାସ୍ତା ଉପରେ ଗାଡ଼ି ଛିଡା କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଏଠାରେ ଦାବୀ କରାଯାଇଥିଲା । ସବୁ ଶୁଣିବା ପରେ ଯଥା ସମ୍ଭବ ଏହାର ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ଥାନାଧିକାରୀ କହିଥିଲେ । ଶେଷରେ ଏସ୍‌ଆଇ ପ୍ରଦୀପ କୁମାର ଦୂରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.