jayashree

ବିଦାୟ ମୋଡ଼ରେ ରାଜସ୍ଥାନ ସରକାର, ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ଘର ଖାଲି କରୁଛନ୍ତି : ବିକାନେର ସମାବେଶରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ୍‌

ବିକାନେର : ରାଜସ୍ଥାନର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏଥର ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି କଂଗ୍ରେସକୁ । ଏହି କ୍ରମରେ ରାଜ୍ୟର ବିକାନେରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳକୁ ଜୋର୍‌ସୋର୍‌ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳ ଲୁଟ୍‌ର ଦୋକାନ ଏବଂ ମିଥ୍ୟାର ବଜାର । ସେ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ପାଇଁ ସମୟ ଆସିଛି, କିନ୍ତୁ କଂଗ୍ରେସ ଏଠାରେ ବିଦାୟ ମୋଡରେ ପହଂଚିଛି ।

ବିକାନେର ନିକଟସ୍ଥ ନୌରଙ୍ଗଦେସରଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଗତ ଚାରି ବର୍ଷ ମଧ୍ୟରେ ରାଜସ୍ଥାନକୁ ଅନେକ କ୍ଷତି ପହଂଚାଇଛନ୍ତି ଏବଂ ଏବେ ସମ୍ଭାବ୍ୟ ପରାଜୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବାଏ ବାଏ କହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଜ୍ୟର କିଛି ମନ୍ତ୍ରୀ ଏବଂ ବିଧାୟକମାନେ ସେମାନଙ୍କ ସରକାରୀ ବଙ୍ଗଳା ଖାଲି କରି ନିଜ ଘରୋଇ ଘରକୁ ଯିବା ଆରମ୍ଭ କରି ଦେଇଛନ୍ତି ।

ପିଏମ୍‌ ମୋଦୀ ଆହୁରି କହିଛନ୍ତି ଯେ, ଏକ ପୁରାତନ କଥା ଅଛି ଯେ ଦୀପ ଲିଭାଇବା ପୂର୍ବରୁ ଜୋରରେ ଜଳି ଉଠେ । ନିଜର ପରାଜୟକୁ ଭୟ କରି କଂଗ୍ରେସ ମଧ୍ୟ ତାହା କରୁଛି । ସେ କହିଛନ୍ତି ଯେ, କଂଗ୍ରେସ ରାଜସ୍ଥାନର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛି । କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ ଯେ କଂଗ୍ରେସର ଏକମାତ୍ର ଲକ୍ଷ୍ୟ ହେଉଛି- ଲୁଟ୍‌ର ଦୋକାନ ଓ ମିଥ୍ୟାର ବଜାର ।

Leave A Reply

Your email address will not be published.