ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲା ପରେ ରାହୁଲଙ୍କ ସମେତ ୫ ଜଣ ସାଂସଦଙ୍କ ସଭ୍ୟପଦ ରଦ୍ଧ

  • ଦେଶର ସମୂଦାୟ ୩୧ ସାଂସଦଙ୍କ ସଭ୍ୟପଦ ଆଜି ଯାଏଁ ରଦ୍ଧ ହୋଇଛି
  • ହେମନ୍ତ ପଣ୍ଡାଙ୍କୁ ଲୋକସଭା ସଚିବାଳୟ ପ୍ରଦାନ କଲା ତଥ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲା ପରେ ଅଦ୍ୟାବଧି ରାହୁଲଙ୍କ ସମେତ ଦେଶର ୫ ଜଣ ସାଂସଦଙ୍କୁ ସମ୍ବିଧାନର ୧୦୨ (୧) (ଇ) ଅନୁଚ୍ଛେଦ ଓ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୮ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯାଇଥିବା ତଥ୍ୟ ଲୋକସଭା ସଚିବାଳୟ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ସୂଚନା ପ୍ରଦାନ କରାଯାଇଛି । ଉପରୋକ୍ତ ଆଇନ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯାଇଥିବା ଲୋକସଭା ସାଂସଦମାନେ ହେଲେ ଲାଲୁ ପ୍ରସାଦ ଯାଦବ, ଜଗଦୀଶ ଶର୍ମା, ମହମ୍ମଦ ଫୈଜଲ, ରାହୁଲ ଗାନ୍ଧୀ ଓ ଆଫଜଲ ଅନସାରୀ । ଲାଲୁ ପ୍ରସାଦ ଓ ଜଗଦୀଶ ଶର୍ମା ପଞ୍ଚଦଶ ଲୋକସଭାର ସଭ୍ୟ ଥିବା ବେଳେ ମହମ୍ମଦ ଫୈଜଲ, ରାହୁଲ ଗାନ୍ଧୀ ଓ ଆଫଜଲ ଅନସାରୀ ସପ୍ତଦଶ ତଥା ଚଳିତ ଲୋକ ସଭାର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ରାହୁଲ ଗାନ୍ଧୀଙ୍କୁ ବାଦ୍ ଦେଲେ ଏହି ଚାରି ଜଣ ଗୁରୁତର ଅପରାଧିକ ମାମଲା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାହୁଲ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ବାଦ୍ ସମ୍ବିଧାନର ଦଶମ ଅନୁସୂଚୀର ପ୍ରାବଧାନ ଅନୁଯାୟୀ ଅଷ୍ଟମ ଲୋକସଭାରୁ ଆଜି ପର୍ଯ୍ୟନ୍ତ ତଥା ୩୧ ଡିସେମ୍ବର ୧୯୮୪ ମସିହାରୁ ଆଜି ଯାଏଁ ୨୬ ଜଣ ତତ୍କାଳୀନ ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଚତୁର୍ଦ୍ଦଶ ଲୋକସଭା ପରେ ଅର୍ଥାତ ମଇ ୨୦୦୯ ମସିହା ପରେ ସମ୍ବିଧାନର ଦଶମ ଅନୁସୂଚୀ ପ୍ରୟୋଗ କରାଯାଇ କାହାକୁ ଅଯୋଗ୍ୟ ଘୋଷିତ କରାଯାଇ ନାହିଁ । ଏହି ୨୬ ଜଣ ଅଯୋଗ୍ୟ ଘୋଷିତ ନେତାଙ୍କ ମଧ୍ୟରେ ଓଡିଶାର ଭାଗେ ଗୋବର୍ଦ୍ଧନ, ଦେବାନନ୍ଦ ଅମାତ, ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଓ ହରିହର ସ୍ୱାଇଁ ରହିଥିବା ସୂଚନା କର୍ମୀ ପଣ୍ଡା ଜଣାଇଛନ୍ତି ।

Leave A Reply

Your email address will not be published.