ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଉତ୍ସବ ଭୁବନେଶ୍ବର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ବନ୍ଦ ଥିବା ପୁରସ୍କାର ଉତ୍ସବକୁ ଚଳିତ ବର୍ଷ ୨୦୨୦, ୨୦୨୧, ୨୦୨୨ ପାଇଁ ସାହିତ୍ୟରେ ୧୧ଟି ବିଭାଗରେ ୩୫ଜଣ ସାହିତ୍ୟିକଙ୍କୁ ସେମାନଙ୍କ ପୁସ୍ତକ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରାଉରକେଲାର କବି ଅଙ୍ଗୁରବାଳା ପରିଡାଙ୍କ କବିତା ସଂକଳନ ‘ରତ୍ନ ଗର୍ଭା’କୁ ରାଜଧାନୀ ପୁସ୍ତକ ମେଳା କବିତା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଥିଲା । ପୁସ୍ତକମେଳାର ସଭାପତି ଡଃ ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଡଃ ବଦ୍ରିନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ଓ ସଂପାଦକ ବିଦୁଭୂଷଣ ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଗତ ୨୩ ବର୍ଷ ରାଜଧାନୀ ପୁସ୍ତକ ମେଳାରେ ପୁରସ୍କୃତ ହୋଇଥିବା ସାହିତ୍ୟିକମାନଙ୍କ ଉପରେ ଏକ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ । ସଂପ୍ରତି ରତ୍ନଗର୍ଭା ପୁସ୍ତକଟି ଆମାଜନରେ ଉପଲବ୍ଧ ରହିଛି ।
Next Post