oom

ବିଶ୍ୱ ଡାକ୍ତର ଦିବସରେ ନକଲି ବଙ୍ଗାଳି ଡାକ୍ତର ବେନ୍ଦେର ଗାଁରୁ ଗିରଫ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଶ୍ୱ ଡାକ୍ତର ଦିବସରେ ନକଲି ବଙ୍ଗାଳି ଡାକ୍ତର ବେନ୍ଦେର ଗାଁରୁ ଗିରଫ ହୋଇଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଲାଠୋର ଥାନା ପୋଲିସ ପକ୍ଷରୁ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ଗ୍ରାମରେ ଚଢାଉ କରାଯାଇ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି । ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ଗୋବର୍‌ଦନଙ୍ଗା ଅଞ୍ଚଳର ପ୍ରଦୀପ ମଜୁମଦାରଙ୍କ ପୁଅ ଶୁଭୋଜିତ ମଜୁମ୍‌ଦାର । ତାଙ୍କୁ ଗିରଫ କରାଯିବା ସହ ତାଙ୍କ କ୍ଲିନିକରୁ ବିପୁଳ ପରିମାଣରେ ଔଷଧ ଜବତ କରାଯାଇଥିବା ମଧ୍ୟ ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗିରଫ ଶୁଭୋଜିତ ୧୬ ବର୍ଷ ପୂର୍ବେ ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମକୁ ଆସି ଏକ କ୍ଲିନିକ ଖୋଲିବା ସହ ନିଜକୁ ଡାକ୍ତରର ପରିଚୟ ଦେଇ ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ । ଚିକିତ୍ସା ପାଇଁ ତାଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ଲାଇସେନ୍ସ ମଧ୍ୟ ନଥିବା ଜଣାପଡ଼ିଛି । ଏନେଇ ବଲାଙ୍ଗିର ଏସ୍‌.ପି. ରିଷିକେଶ ଡି. ଖିଲାରୀଙ୍କ ନିର୍ଦ୍ଦେଶ ଅନୁସାରେ ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ଗୋଟିଏ ଟିମ୍‌ ଗଠନ କରି ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧୀରଜ କୁମାର ପାତ୍ରଙ୍କ ଉପସ୍ଥିତିରେ ବେଆଇନ ଭାବରେ ଚାଲିଥିବା କ୍ଲିନିକ ଉପରେ ଚଢାଉ କରି ସଂପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । କ୍ଲିନିକ ମଧ୍ୟରୁ ପୋଲିସ ବିପୁଳ ପରିମାଣରେ ବିଭିନ୍ନ ରୋଗର ଔଷଧ ଜବତ କରିବା ସହ ସମ୍ପୃକ୍ତ ନକଲି ଡାକ୍ତରଙ୍କ କ୍ଲିନିକକୁ ସିଲ କରିଦେଇଥିବା ଜଣାପଡିଛି । ଏନେଇ ଲାଠୋର ଥାନା କେସ୍‌ ନଂ. ୮୦/୨୦୨୩ରେ ଏକ ମକଦ୍ଦମା ଋଜୁ କରି ୪୧୯/୪୨୦ ଦଫାରେ ଅଭିଯୁକ୍ତ ନକଲି ଡାକ୍ତରଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.