ବୁଡି ଅଂଚଳରେ ପ୍ରଶାସନ ମାନବ ଅଧିକାର ଉଲ୍ଲଂଘନ ନକରୁ : ନରସିଂହ

  • ବିଜୁଳି ଓ ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର, ସେଥିରୁ ବଞ୍ଚିତ କରା ନ ଯାଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଡି ଅଞ୍ଚଳକୁ ନେଇ ଆଜି ବଲାଙ୍ଗିର ବିିଧାୟକ ନରସିଂହ ମିଶ୍ର ପ୍ରେସ୍‌ ବବୃତ୍ତି ପ୍ରଦାନ କରିଛନ୍ତି । ସେ ନିଜ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପରେ ଅନେକ ସପକ୍ଷବାଦୀ ଓ ବିପକ୍ଷବାଦୀ ଆନ୍ଦୋଳନ ଘଟିଯାଇଛି । ଏଥିପାଇଁ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାର ତ୍ୟାଗ କରିବାକୁ ପଡିଛି । କିଏ ଭିଟାମାଟି ଛାଡିଛି ତ କିଏ ପ୍ରକଳ୍ପକୁ ସମର୍ଥନ କରି ଅତୀତରେ ଜନ ସମର୍ଥନ ହରାଇଛି । ସରକାରଙ୍କ ସହ ଲଢେଇ କରି ଗାଁ ଗଣ୍ଡାରେ ଲୋକମାନଙ୍କୁ ବୁଝାଇ ବିଶେଷ କରି ପ୍ରକଳ୍ପ ବିପକ୍ଷରେ ଥିବା ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲି ଲୋକେ ଯେତେବେଳେ ପ୍ରକଳ୍ପ ସପକ୍ଷରେ ବିସ୍ଥାପିତ ହୋଇବାକୁ ରାଜି ହୋଇଛନ୍ତି ସେତିକି ବେଳେ ପ୍ରଶାସନ ମଧ୍ୟ ସେମାନଙ୍କ ପ୍ରତି ଉଦାର ହେବା ଦରକାର । ବିସ୍ଥାପିତ ହେବା ପାଇଁ ରାଜି ହୋଇଥିବା ଲୋକଙ୍କୁ ଜୋର ଜବରଦସ୍ତ ସେଠାରୁ ହଟାଇବା ପାଇଁ ସେମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ ନକରିବା ଦରକାର । ଏପରି ହେଲେ ଏହା ପ୍ରଶାସନ ଦ୍ୱାରା ମାନବ ଅଧିକାରର ଖୋଲାଖୋଲି ଉଲ୍ଲଂଘନ ହେଉଛି ବୋଲି ଧାରାଯିବ ବୋଲି ଆଜି ବୁଡି ଅଂଚଳ ଗଡଶଙ୍କର ଡୁଙ୍ଗୁରିପାଲି, ଖୁଣ୍ଟପାଲି ଅଂଚଳରୁ ଲୋକଙ୍କୁ ଜୋର ଜବରଦସ୍ତ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ ବିଜୁଳି ଓ ପାଣି ସଂଯୋଗ କାଟି ଦେଇଥିବା ପରିପ୍ରେକ୍ଷୀରେ ପ୍ରେସ ବିବୃତ୍ତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସେଠାରେ ସଂପୂର୍ଣ୍ଣ ବିସ୍ଥାପିତ ହେବା ପାଇଁ ଲୋକେ ଆଜି ବି ତାଙ୍କର ଉପଯୁକ୍ତ ପ୍ରାପ୍ୟ ପାଇଁ ଅପେକ୍ଷା କରିଛନ୍ତି । ଏପରି କି ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ବିସ୍ଥାପନ କୋଲୋନୀରେ ଲୋକେ ରହିବା ପାଇଁ ପର୍ଯ୍ୟାପ୍ତ ତଥା ଉପଯୁକ୍ତ ନୁହେଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ସେମାନଙ୍କୁ ପ୍ରଶାସନ ଧମକ ଚମକ ଦେଇ ନିଜ ଅଂଚଳରୁ ହଟାଇବା ସ୍ପଷ୍ଟ ଭାବେ ମାନବ ଅଧିକାରର ଉଲ୍ଲଙ୍ଘନ ହେବ । ବିଜୁଳି ଓ ପାନୀୟ ଜଳ ପାଇବା ଲୋକଙ୍କ ମୌଳିକ ଅଧିକାର । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସଂପୂର୍ଣ୍ଣ କ୍ଷତି ପୁରଣ ପ୍ରଦାନ କରାନଯାଇଛି ସେମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରାନଯାଉ । ଏଦିଗରେ ପ୍ରଶାସନ ସମ୍ବେଦନଶୀଳ ହେବା ସହ ଉଦାର ରୂପ ଦେଖାନ୍ତୁ ବୋଲି ଶ୍ରୀ ମିଶ୍ର ତାଙ୍କର ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଭିତରକୁ ପ୍ରଥମ ବର୍ଷା ଜଳ ଏ ବର୍ଷ ପ୍ରବେଶ କରିଥିବାରୁ ପ୍ରଶାସନ ତରଫରୁ ପ୍ରକଳ୍ପର ତଳ ମୁଣ୍ଡରେ ଥିବା ଗ୍ରାମବାସୀମାନଙ୍କୁ ନଦୀ ଭୀତରକୁ ନଯିବା ପାଇଁ ସଚେତନ କରିବା ସହ ବୁଡି ଅଂଚଳରେ ଲୋକମାନଙ୍କୁ ନେଇ ଜୋର ଜବରଦସ୍ତ ବିସ୍ଥାପିତ ହେବା ପାଇଁ ବାଧ୍ୟ କରାଯାଉଥିବାର ଖବର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ସାଧାରଣ ଜନତାମାନଙ୍କ ପକ୍ଷରୁ ଅଭିଯୋଗ ଆସୁଛି । ଯାହାକି ମାନବ ଅଧିକାରର ଉଲ୍ଲଙ୍ଘନ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.