jayashree

ରାଉରକେଲା ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ପାଞ୍ଚ ଗୁଣ୍ଡିଚା ମନ୍ଦିର ପାଖରେ ରାଉରକେଲା ବିକାଶ ମଞ୍ଚର ଏକ ବୈଠକର ଆୟୋଜନ କରାଯାଇଥିଲା । ହକି ବିଶ୍ୱ କପ୍‌ ପୂର୍ବରୁ ବିମାନବନ୍ଦର ଛକରେ ତିଆରି ହୋଇଥିବା ହକି କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ପଡିବା, ହକି ଷ୍ଟାଡିଅମରେ ପାଣି ପଡିବା, ବିଭିନ୍ନ ରାସ୍ତା ଦବିଯିବା ଆଦି ବିଷୟରେ ମଞ୍ଚ ତରଫରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ନିମ୍ନମାନର କାମ ହୋଇଥିବାରୁ ବିଶ୍ୱକପ୍ ସୁନାମରେ ଆଞ୍ଚ ଆସିଛି ବୋଲି ମତ ପ୍ରକାଶ ପାଇଥିଲା । ଏତଦ୍‌ ବ୍ୟତୀତ ବିମାନ ବନ୍ଦର ଆରମ୍ଭଠାରୁ ଆଇଏଲ୍‌ଏସ୍‌ ସିଷ୍ଟମ ନ ଥିବା ଯୋଗୁଁ ପାଞ୍ଚ ଥର ରାଉରକେଲାରୁ ବିମାନ ଉଡାଣ ରଦ୍ଦ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଖଣିଖାଦାନରେ ଭରପୁର ଥିବା ବେଳେ, ଏନଆଇଟି ଓ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ମାନ ଅଛି । ରାଉରକେଲା ସହରରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରର ବାସିନ୍ଦାମାନେ ଏଠାରେ ବସବାସ କରନ୍ତି, ସେମାନଙ୍କ ପାଇଁ ଯୋଗାଯୋଗର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଦୀର୍ଘ ଦିନରୁ ଦାବୀ ହୋଇଆସୁଥିବା ରାଉରକେଲା ବିମାନ ବନ୍ଦରକୁ ଦିବାରାତ୍ର ପୂର୍ଣ୍ଣକାଳୀନ ବିମାନ ବନ୍ଦରରେ ପରିଣତ କରାଇବା, ଏଠାରେ ଏକ ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା,ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଇବା, ଉନ୍ନତ ସ୍ୱାସ୍ଥ୍ୟସେବା ଆର୍‌ଜିଏଚ୍‌ ଓ ଆଇଜିଏଚ୍‌ରେ ଉପଲବ୍ଧ କରାଇବା, ବିମଳାଗଡ଼ -ତାଳଚେର ରେଳଲାଇନକୁ ସମ୍ପୂର୍ଣ୍ଣ କରାଇବା, ବନ୍ଦ ହୋଇଯାଇଥିବା ଟ୍ରେନର ପୁନଃ ପ୍ରଚଳନ କରାଇବା ଆଦିକୁ ସମ୍ପୃକ୍ତ କର୍ତୃପକ୍ଷ ଅଣଦେଖା କରୁଛନ୍ତି । ବିମାନବନ୍ଦରରେ ଆଇଏଲ୍‌ଏସ୍‌ ସିଷ୍ଟମ ନଥିବାରୁ ଆଗକୁ ଆସୁଥିବା ବର୍ଷାଋତୁରେ ବିମାନ ଚଳାଚଳ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଉଛି । ଜିଲ୍ଲା ଖଣିଜ ଫଣ୍ଡରୁ ଦଶକୋଟି ଟଙ୍କା ମଞ୍ଜୁର କଲେ ରାଉରକେଲାକୁ ସବୁଦିନିଆ ବିମାନବନ୍ଦରରେ ପରିଣତ କରି ଯୋଗାଯୋଗକୁ ସୁଗମ କରିହୁଅନ୍ତା । ଉନ୍ନତ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଜିଲ୍ଲାବାସୀ ହଇରାଣ ହରକତ ହୋଇ ପାଞ୍ଚଶହ କିଲୋମିଟର ଦୂର କଟକ ଭୁବନେଶ୍ୱର ଯିବାକୁ ପଡୁଛି । ଚକ୍ରଧରପୁର ରେଳବାଇ ଡିଭିଜନର ସିଂହଭାଗ ଓଡିଶାରୁ ଯାଉଥିବାରୁ ରାଉରକେଲା ଠାରେ ଏକ ନୂତନ ଡିଭିଜନ ପ୍ରତିଷ୍ଠା କରିବା ଶହ ବନ୍ଦ ହୋଇଯାଇଥିବା ଟ୍ରେନର ପୁନଃ ପ୍ରଚଳନ ଅତିଶୀଘ୍ର କରିବା ଦରକାର ବୋଲି ମତପ୍ରକାଶ ପାଇଥିଲା । ଏ ବିଷୟରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମଧ୍ୟ ବିକାଶ ମଞ୍ଚର ଦାବୀ ସହ ଏକମତ ହୋଇ ସ୍ୱର ଉତ୍ତୋଳନ କରୁଛନ୍ତି । ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ ଏହି ସଭାରେ ବରିଷ୍ଠ ଉପଦେଷ୍ଟା ହରିହର ରାଉତରାୟ, ଆନଂଦଚନ୍ଦ୍ର ମହାନ୍ତି, ଅମୂଲ୍ୟ ବରାଳ, ଇଂ ଉତ୍ତମ କୁମାର ସାମଲ, ଦେବାଶିଷ ପାଣିଗ୍ରାହୀ, କୁଞ୍ଜବିହାରି ରାଉତ, ଇଂ ସୁପ୍ରତିକ ମିଶ୍ର, ନିରଞ୍ଜନ ଦାସ, ହରିହର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.