ଗଞ୍ଜାମ ଜିଲ୍ଲାରେ ବ୍ୟାପୁଛି ଏକ ଚକ୍ଷୁରୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକ୍ଷୁରୋଗ ବ୍ୟାପୁଛି । ଏହାକୁ ଆଖିଧରା ରୋଗ କୁହାଯାଏ । ଏହି ଆଖି ଧରା ରୋଗ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଯେ, ଲୋକଙ୍କର ଆଖି ଫୁଲିବା, ଆଖିରୁ ଲୁହ ଝରିବା, ଲେନ୍ଦୁଲାଗି ଧରି ରହିବା, ଆଖି ନାଲି ହୋଇ ଆଖିରେ ଘା-ହେବା ଭଳି ଏକ ଭାଇରାଲ ରୋଗ ଗଞ୍ଜାମ ଜିଲ୍ଲାରେ ପ୍ରବଳ ମାତ୍ରାରେ ଦେଖା ଦେଇଛି । କୋରନା ପରବର୍ତ୍ତୀ ସମୟରେ ଏହି ରୋଗ ବ୍ୟାପିଥିବା ନେଇ ଏହାକୁ ଯାଞ୍ଚ କରିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଘର ଘର ବୁଲି ସର୍ବେକ୍ଷଣ କରି ଲୋକଙ୍କୁ ଔଷଧ ବିତରଣ କରିବା ଜରୁରୀ ହୋଇଛି । ଲୋକମାନେ ଏ ଦିଗରେ ବହୁତ ସଚେତନ ରହିବା ସାଂଗକୁ ଆଶୁ ଚିକିତ୍ସା ଦିଗରେ ଧ୍ୟାନ ନ ଦେଇ କିଏ କଣ ଅବା ଅନେକେ ବୈଦ୍ୟ ମନ୍ତ୍ର, ବୈଦ୍ୟ ଔଷଧୀୟକରଣ କରୁଥିବା ଦେଖାଦେଇଛି । ଜଣେ ଜଣେ ଲୋକ ନିଜ ପରିସ୍ରାର ଦୁଇ ଟୋପା ଆଖିରେ ପକାଇ ମୋ ଆଖି ଏବେ ଟିକେ ଉଣା ଅଛି ବୋଲି କହିଥିଲେ । ଆଉ କେତେକ ଲୋକ ଗାଈର କ୍ଷୀର ଦୁଇ ଟୋପା, ଅନ୍ୟ କେତେକ କୌଣସି ଗଛର କ୍ଷୀର, କୌଣସି ପତ୍ରର ରସ, ଅବା ଲେମ୍ବୁରସର ଦୁଇ ଟୋପା, ତୋରାଣି ଦୁଇ ଟୋପା ଆଦି ଔଷଧ ପ୍ରୟୋଗ କରୁଥିବା କୁହାଯାଉଛି । ଔଷଧ କିଣିବା ପାଇଁ ଅର୍ଥ ଅଭାବ ନେଇ ଏହି ସବୁ ଟୁଣୁଟୁଣୁକା ପଦ୍ଧତି ପ୍ରୟୋଗ କରୁଥିବା ଜଣାଯାଇଛି । ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଲୋକମାନେ ଆଶୁ ଚିକିତ୍ସା ପାଇଁ ଆସୁଥିବା ଦେଖାଦେଇଛି । ହସ୍ପିଟାଲମାନଙ୍କରେ ଔଷଧ ଯୋଗାଣ ଓ ମହଜୁଦ ନଥିବା ହେତୁ ଲୋକମାନେ ବାହାରେ କିଣି ଅବା ଘରୋଇ ଡାକ୍ତରଖାନାକୁ ଯାଇ ନାନା ହନ୍ତସନ୍ତ ହେଉଥିବା ଜଣାଯାଏ । ଗରୀବ ଲୋକମାନେ ପଇସାପତ୍ର ନଥାଇ ଅନ୍ୟ ସବୁ ଟୁଣୁଟୁଣୁକା ପଦ୍ଧତି ପ୍ରୟୋଗ କରୁଥିବା ଜଣାଯାଇଛି । ଖୁବଶୀଘ୍ର ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଧ୍ୟାନ ନ ଦେଲେ ଜିଲ୍ଲାରେ ଅନ୍ଧତ୍ୱ ଦୂରୀକରଣ ବଦଳରେ ଫଳ ଓଲଟା ହେବା ଆଶଙ୍କା ରହିଛି । ଆଗାମୀ ଦିନରେ ପରିସ୍ଥିତି ଭୟାନକ ହୋଇପାରେ । ତେଣୁ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଦିଗରେ ଧ୍ୟାନ ଦେଇ ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣରେ ଏବଂ ବିଭିନ୍ନ ମହଲରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!