jayashree

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ, ଡେଲାଙ୍ଗ-ବ୍ରହ୍ମଗିରି ସଡକ, ପିପିଲି-ଡେଲାଙ୍ଗ ସଡକରେ ଶିଶୁମାନେ ଶତାଧିକ ଛୋଟଛୋଟ ରଥରେ ଚତୁର୍ଦ୍ଧାମୂର୍ତିଙ୍କୁ ଆସୀନ କରାଇ ରଥ ଟାଣିବା ଦେଖାଯାଇଥିବା ବେଳେ ବିଭିନ୍ନ ଗାଁ ଦାଣ୍ଡରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖାଯାଇଥିଲା । ପୁରୀ ଜିଲ୍ଲାର ସର୍ବବୃହତ୍ତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁସଜିତ ରଥ ଘଂଟଘଂଟା, କାହାଳୀ, ଶଙ୍ଖ, ମୃଦଙ୍ଗ, ନଦିଆ ସଂକିର୍ତନ ଆଦି ବାଦ୍ୟ ଧ୍ୱନି ମଧ୍ୟରେ ୨ କି.ମି ଗ୍ରାମଦାଣ୍ଡରେ ରଥଟଣା ଯାଇ ଶ୍ରୀରାଧାମୋହନ ଦେବ ମଠସ୍ଥିତ କଳ୍ପିତ ଗୁଣ୍ଡିଚା ମନ୍ଦିରରେ ପଂହଚିଥିଲା । ସମଗ୍ର ଅଚଂଳରେ ଆଧ୍ୟତ୍ମିକ ପରିବେଶ ସହ ଆନନ୍ଦ ଉତ୍ସାହ ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ୍‌ ବାସୁଦେବ ମିଶ୍ର ଛେରାପହଁରା କରିଥିଲେ । ମନ୍ଦିର କମିଟିର ମୁଖ୍ୟ ବିଜୟ ମିଶ୍ର ରଥଯାତ୍ରା ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ରାମଚନ୍ଦ୍ର ଦାସ ଛେରାପହଁରା କରିଥିଲେ । ସ୍ଥାନୀୟ ସମିତି ସଭ୍ୟା ଅର୍ଣ୍ଣପୂର୍ଣ୍ଣା ରଣଜିତ, ସାରପଞ୍ଚଙ୍କ ପ୍ରତିନିଧି ଦୁଃଶାସନ ବେହେରା, ୱାର୍ଡ ମେମ୍ବର ପ୍ରଶାନ୍ତ ରାଉତାରାୟ , ସେବାୟତ ସୁନିଲ ମିଶ୍ର, ଦେବାଶିଷ ମିଶ୍ର, ବିରେନ ମିଶ୍ର, ବିକ୍ରମ କେଶରୀ ମିଶ୍ର, ମଦନ ମିଶ୍ର ଏଥିରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ନାରାୟଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏଠାରେ ରଥଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମର ସହସ୍ରାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ହାଟଫାଣ୍ଡି ଅଧିକାରୀ ଧନପତି ପିଙ୍ଗ, କନେଷ୍ଟବଳ ସାଦାଶିବ ମଲ୍ଲିକଙ୍କ ସମେତ ସ୍ଥାନୀୟ ଗ୍ରାମରଖିମାନେ ଉପସ୍ଥିତ ରହିଥିଲେ । ସେହିପରି ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଯୋରକଣୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅକ୍ଷୟ ପରିଡାଙ୍କ ତତ୍ୱାବଧାନରେ ରଥଯାତ୍ରା ପରିଚାଳନା ହୋଇଥିବା ବେଳେ ଶିକ୍ଷାବିତ୍‌ ରମେଶ ଚନ୍ଦ୍ର ସ୍ୱାଇଁ ସୁନ୍ଦର ଭାବେ ରଥଯାତ୍ରା ଓ ଶ୍ରୀ ଜିଉଙ୍କ ଉପରେ ଧାରା ବିବରଣୀ ପ୍ରଦାନ କରିଥିଲେ । ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ଅଚଂଳବାସୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.